ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଇବା ପାଇଁ ସିଇଓଙ୍କ ନିକଟରେ ବିଜେଡିର ଦାବି

ଭୁବନେଶ୍ୱର: ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଯାଉ । ଏହି ଦାବି ନେଇ ଆଜି ପୁଣି ସିଇଓଙ୍କୁ ଭେଟିଲା ବିଜେଡିର ଏକ ପ୍ରତିନିଧି ଦଳ । ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି ନେତା । ଏବେ ସେ ପଦମପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ବିଜେପିର ଦୁଇ ନେତା ୨୦୧୮ ମସିହାରେ ବିଜେପୁର ବାଇପୋଲ ବେଳେ ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏବେ ସୁଶାନ୍ତଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।

ତେଣୁ ପୁଣି ସିଇଓଙ୍କୁ ଭେଟିଛି ବିଜେଡି । ପଦମପୁରରେ ହାରିବା ଭୟରେ ହିଂସାକୁ ଆପଣାଉଛି ବିଜେପି ବୋଲି ବିଜେଡି କହିଛି । ବିଧାୟକ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେଡି । ଏମିତି କି କିଛି ଦିନ ତଳେ ବିଜେପିର ଜଣେ ଯୁବନେତା ସୁଶାନ୍ତ ସିଂଙ୍କୁ ମାରିବା ପାଇଁ ବନ୍ଧୁକ କିଣିଥିବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହାପରେ ସୁଶାନ୍ତଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଡ଼ିଛି । ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ତାଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ।