ପୁରୀ ଦଳଚକଟା ଘଟଣା : ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେଡି ଟିମ୍

1 min read

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ଟିମ ବିଜେଡି । ଚଳିତ ବର୍ଷ ଐତିହାସିକ ରଥଯାତ୍ରା ହେବା ନେଇ ସରକାର ବାହୋସ୍ଫୋଟ ମାରିଥିଲେ । ହେଲେ ଦଳଚକଟାରେ ତିନି ଜଣଙ୍କ ଜୀବନ ଗଲା । ୭ଶହରୁ ଅଧିକ ଆହତ ହେଲେ । ଯାହା ବିଶ୍ବ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଛି । ଏହା ଉଭୟ ପ୍ରଶାସନିକ ଓ ବୈଷୟିକ ବିଫଳତା । କାରଣ AI ଟେକ୍ନୋଲଜି, ସିସିଟିଭି କ୍ୟାମେରା ଲଗା ଯାଇଥିବା ନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ କୁହାଯାଇଥିଲା । ସେ ସବୁ କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସବୁ ବିଭ୍ରାଟର ତଦନ୍ତ ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରି ରାଜ୍ୟପାଳଙ୍କୁ ବିଜେଡି ଏକ ଦାବିପତ୍ର ପ୍ରଦାନ କରିଛି ।

କାରଣ ପ୍ରଶାସନିକ ତଦନ୍ତରୁ ସୁଫଳ ମିଳୁନି ବୋଲି ବିଜେଡି ଅଭିଯୋଗ କରିଛି । ଗତ ବର୍ଷ ମହାପ୍ରଭୁ ବଳଭଦ୍ର ମୁହଁମାଡ଼ି ପଡିଥିବାର ପ୍ରଶାସନିକ ତଦନ୍ତ ରିପୋର୍ଟ ଏ ଯାଏଁ ଆସିଲା ନାହିଁ । ଏପରି ସ୍ଥିତିରେ ପ୍ରଶାସନିକ ତଦନ୍ତ ଉପରେ ବିଜେଡି ବିଶ୍ୱାସ ଜୁଟାଇ ପାରୁନି ବୋଲି କହିଛି । ଏ ଯାଏଁ ରଥଯାତ୍ରା ପରିଚାଳନା କମିଟି ବି ଗଠନ ହୋଇ ପାରିନି । କମିଟି ଥିଲେ ଏପରି ହୋଇ ନଥାନ୍ତା ବୋଲି ବିଜେଡି ଅନୁଭବ କରିଛି । ଆସନ୍ତାକାଲି ବାହୁଡା ଯାତ୍ରା । ବାହୁଡାରୁ ସୁନାବେଶ ଯାଏଁ ଯେପରି ଶୃଙ୍ଖଳିତ ଭାବେ ନୀତିକାନ୍ତି ଓ ସାଧାରଣ ଦର୍ଶନ ହୋଇ ପାରିବ, ସେ ଦିଗରେ ବି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଭକ୍ତମାନେ କିପରି ଆଗାମୀ ବାହୁଡା ଓ ଅନ୍ଯ କାର୍ଯ୍ୟକ୍ରମରେ ସୁରକ୍ଷିତ ଶ୍ରୀଜିଉ ଦର୍ଶନ କରିପାରିବେ ସେପରି ବ୍ଯବସ୍ଥା କରିବା ସହ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଦଳ ଦାବିପତ୍ରରେ ଉଲ୍ଲେଖ କରିଛି । ରାଜ୍ୟପାଳ ରଥଯାତ୍ରା ବିଭ୍ରାଟକୁ ଦୁର୍ଭାଗ୍ୟଜନକ କହିଥିବା ନେଇ ଟିମ ବିଜେଡି ସୂଚନା ଦେଇଛି।