ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାତ୍ରପୁର, ଗଞ୍ଜାମ, ଛତ୍ରପୁର ଓ ସୋରଡା ସମେତ ବିଭିନ୍ନ ବ୍ଲକରେ ଜନପ୍ରତିନିଧିଙ୍କୁ କରାଯାଉଛି ଅଣଦେଖା । ଏହା ସହିତ ମହିଳା ଜନପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ପାତ୍ରପୁର ପଞ୍ଚାୟତ ସମିତି ବୈଠକରେ ଗଣ୍ଡଗୋଳ, ବାହାର ଲୋକଙ୍କ ଦ୍ୱାରା ମହିଳା ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଓ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ଚିକିଟି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମହିଳା ଜନପ୍ରତିନିଧିଙ୍କୁ ଦୁର୍ବବ୍ୟହାର ନେଇ ଥାନାରେ ଏତଲା ପରେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସେହିପରି ସୋରଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲିଆତି କରି ଦୁଇଟି ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛିି । ଏଣୁ ଏହାର ଉଚିତ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟିକୁ ନେଇ ଗଞ୍ଜାମ ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲା ଦିନଠାରୁ ବିକାଶ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ବିଭିନ୍ନ ବ୍ଲକରେ ବିଡିଓ ଏବଂ ଅଧିକାରୀମାନେ ବିଜେପିର ବ୍ଲକ ସଭାପତି ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନବୀନ ସରକାର ଅମଳରେ ଯାହା କାର୍ଯ୍ୟ ହୋଇଥିଲା ତାର ବକେୟା ବିଲକୁ ରାଜନୈତିକ ଚାପ ପକାଇ ଅଟକା ଯାଉଛି । ରାଜନୈତିକ ହସ୍ତକ୍ଷେପ କରି ନିରୀହ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛି ବିଜେଡି।