ସିଇଓଙ୍କୁ ଭେଟିଲା ବିଜେଡି ଟିମ୍, ଅପରାଧିଙ୍କୁ ଗିରଫ ଦାବି

ଭୁବନେଶ୍ୱର: ପଦମପୁର ଉପନିର୍ବାଚନ ବେଳେ ବିଜେପି କର୍ମୀଙ୍କ ଦ୍ୱାରା ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କୁ ଭେଟିଲା ବିଜେଡି ଟିମ୍  । ଦହିଗାଁ ପଞ୍ଚୟତରେ ସଂଜୁ ବରିହାଙ୍କୁ ବିଜେପି ନେତା ରିଙ୍କୁ ମେହେର ଏବଂ ଅନ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ  । ଫଳରେ ଗୁରୁତର ହୋଇପଡିଥିଲେ ସଂଜୁ ବରିହା  । ବିଜେଡି ରାଲିରେ ଯିବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ନାଁରେ ସ୍ଲୋଗାନ ପକାଇଥିବାରୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଆଜି ସିଇଓଙ୍କୁ ଭେଟିଛନ୍ତି ବିଜେଡି ଟିମ୍  ।

ଟିମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଉପସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ବିଜେଡି ନେତ୍ରୀ ସଞ୍ଜୁ ବରିହାଙ୍କ ଉପରେ ଆକ୍ରମଣ କରିଥିବା ବିଜେପି କର୍ମୀ ରିଙ୍କୁ ମେହରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ପ୍ରତିନିଧି ମଣ୍ଡଳୀ । ନିର୍ବାଚନ କମିଶନଙ୍କ ଉପରେ ବିଶ୍ବାସ ରହିଛି ଏବଂ ହିଂସା ବନ୍ଦ କରିବା ଲାଗି ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି ।

ଦାବିପତ୍ରରେ ଦର୍ଶାଯାଇଛି, ଗତ ୨୪ ତାରିଖରେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ଦହିଗାଁ ପଞ୍ଚାୟତ ଅନ୍ତର୍ଗତ ବୁବୁଡ଼ା ଗାଁରେ ବିଜେପିର ରିଙ୍କୁ ମେହର ମରଣାନ୍ତକ ଆକ୍ରମଣ କରିଥିଲେ । ସଞ୍ଜୁ ବର୍ତ୍ତମାନ ଭିମସାରରେ ଚିକିତ୍ସାଧୀନ ଅଛନ୍ତି । ଏହି ଆକ୍ରମଣରେ ଜଡ଼ିତ ରିଙ୍କୁ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି ।