ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ବିଜେଡି ଟିମ୍

ଦିଲ୍ଲୀ ଏମ୍ସରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ବଳଙ୍ଗା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ସାଂସଦ ଶୁଭାଶିଷ ଖୁଣ୍ଟିଆ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ସହ ଯୁବ ନେତା ସୁବ୍ରତ ଛାଟୋଇ ଏମ୍ସକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କ ସହ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଥିଲେ । ପୀଡିତାଙ୍କ ଦାଦାଙ୍କ ସହ ପ୍ରତିନିଧି ମଣ୍ଡଳି ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ ନିମନ୍ତେ ଆଶ୍ବାସନା ଦେଇଛନ୍ତି । ଗତ ଶନିବାର ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅର୍ନ୍ତଗତ ଗୋପୀନାଥପୁର ପଞ୍ଚାୟତର ବାୟାବର ନୂଆଗୋପାଳପୁରରେ ୧୫ ବର୍ଷୀୟ ନାବାଳିକାଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଥିରେ ପୀଡିତାଙ୍କ ଶରୀରର ୭୫ ଭାଗ ଜଳିଯାଇଛି । ଭୁବନେଶ୍ବର ଏମ୍ସ ଓ ପରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଗତକାଲି ପୀଡିତାଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।