ବଡ଼ଠାକୁର ବଳଭଦ୍ର ମୁହଁମାଡି ପଡିଯିବା ଘଟଣାକୁ ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେଇଛି । ମର୍ମାହତ କରିଛି । ବେଶୀ ମର୍ମାହତ କରିଛି ରାଜ୍ଯ ସରକାରଙ୍କ ବେପରୁଆ ମନ୍ତବ୍ଯ । ଗତକାଲି ପହଣ୍ଡିବେଳେ ବଳଭଦ୍ର ପଡିଯିବା ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ।

ବିଜେଡି କହିଛି ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲି ଶ୍ରୀକ୍ଷେତ୍ରରେ ଯେଉଁ ଅଘଟଣ ଘଟିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ତାହା ସମସ୍ତଙ୍କୁ ମର୍ମାହତ, ଲଜ୍ଜିତ, ବ୍ୟଥିତ କରିଛି । ଯିଏ ଭଗବାନକୁ ଟିକେ ଵି ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହା ଲଜ୍ଜାଜନକ ଘଟଣା । ସମସ୍ତେ କାନ୍ଦୁଛନ୍ତି । ହେଲେ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ବୋଲି ପ୍ରେସମିଟ କରି କହିଛନ୍ତି ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ସେମାନେ କହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା । ସରକାରଙ୍କ ଏହି ମନ୍ତବ୍ଯ ଆମକୁ ଦୁଃଖ ଦେଇଛି । ଅନୁରୋଧ କରୁଛୁ, ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ସବୁ କାର୍ଯ୍ୟ ସୂଚାରୁ ରୂପେ କରାଯାଉ । ଯେପରି ସବୁ କାମ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସହଯୋଗ କରାଯାଉ ।