ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳାକୁ ଅସ୍ତ୍ର କରି କେନ୍ଦ୍ରକୁ ଟାର୍ଗେଟ୍‌

1 min read

ଭୁବନେଶ୍ୱର: ପୁଣି ରେଳ ରାଜନୀତି । ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳାକୁ ଅସ୍ତ୍ର କରି କେନ୍ଦ୍ରକୁ ଟାର୍ଗେଟ୍‌ କରିଛି ବିଜେଡି । ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଥିବାରୁ ଅଧିକ ଅନୁଦାନ ପାଇଁ ବିଜେଡି ସଂସଦମାନେ ରେଳବାଇ ପାଖରେ ଦାବି କରିଛନ୍ତି । ଜମି ଅଧିଗ୍ରହଣ ସତ୍ତ୍ୱେ ଅନେକ ପ୍ରକଳ୍ପ କାମ ଅଗ୍ରଗତି ହେଉନଥିବା ବିଜେଡି କହିଛି । ବିଜେପି କହିଛି- ବିଜେଡି ଖାଲି ଦାବି କରୁଛି, କିନ୍ତୁ ଆନ୍ତରିକତା ନଥିବାରୁ କାମ ଆଗକୁ ଯାଉନି । କଂଗ୍ରେସ ବିଜେଡିର ଦାବିକୁ ସମର୍ଥନ କରିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାରୁ ପ୍ରକଳ୍ପ କାମ ହେଉନି ବୋଲି କହିଛି ।

BJD Targets Centre Over Railway Fund

ଗଞ୍ଜାମ ଶୀତଳାପଲ୍ଲୀ ରେଳ ୱାଗନ ମରାମତି କାରଖାନା ଓ କଳାହାଣ୍ଡି ଇଲେକ୍ଟ୍ରିକ୍‌ ଲୋକୋମୋଟିଭ୍‌ ମେଣ୍ଟେନାନ୍ସ କାରଖାନା ପାଇଁ ଜମି ଅଧିଗ୍ରହଣ ସରିଛି । କାମ କିନ୍ତୁ ଆଗେଇ ପାରୁନାହିଁ । ସେହିପରି ପ୍ରାୟ ୩୦୦ ଷ୍ଟେସନ ବନ୍ଦ ହୋଇଯାଇଛି । ବିଜେଡି ହାତରେ ରାଜ୍ୟକୁ ରେଳବାଇ କ୍ଷେତ୍ରରେ ଅବହେଳାର ଏଭଳି ଲମ୍ବାଫର୍ଦ୍ଦ । ଦଳର ସାଂସଦ ଅମର ପଟ୍ଟନାୟକ କହିଛନ୍ତି- ପରିସ୍ଥିତି ଯାହା ବି ହେଉ, ଆମର ହକ୍ ଅଛି, ଅଧିକାର ଅଛି । ରେଳ ପ୍ରକଳ୍ପ ସଂକ୍ରାନ୍ତ ଆମ ଦାବି ପୂରଣ ହେବା ଦରକାର । କୋଭିଡ୍‌ କଟକଣା ସମୟରେ ମଧ୍ୟ ଓଡ଼ିଶାରୁ ଭଲ ଜିଏସ୍‌ଟି ଆଦାୟ ହୋଇଛି । ତେଣୁ ରେଳବାଇ କ୍ଷେତ୍ର‌ରେ ଆମକୁ ଅଲଗା ଦେଖିବାକୁ ହେବ । ରାଜ୍ୟ ସରକାର ଦୁଇଟି ଭାଗରେ ରେଳ ପାଇଁ ଦାବି କରିଛନ୍ତି । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫୦୦ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭୦୦ କୋଟି, ଏପରି ୭ ହଜାର ୨୦୦ କୋଟି ଟଙ୍କା ଦାବି କରାଯାଇଛି । ଅନେକ ସମୟରେ ରେଳବାଇ କହୁଛି- ଜମି ସମସ୍ୟା ଯୋଗୁ କାମ ଆଗେଇ ପାରୁନାହିଁ । ଏହା ଷ୍ଟେରିଓ ଟାଇପ୍ କଥା ହେଇ ଗଲାଣି ବୋଲି ଅମର କହିଛନ୍ତି ।

BJD Targets Centre Over Railway Fund

ବିଜେପି କହିଛି- ସରକାର ଠିକ୍ ସମୟରେ ଭିତ୍ତିଭୂମି ଦେଉନାହାନ୍ତି । ତେଣୁ ବିଳମ୍ବ ହେଉଛି । କେନ୍ଦ୍ର ସରକାର ରେଳ ସଂଯୋଗୀକରଣ ଚାହୁଁଥିବା ବେଳେ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ବିଜେପି କହିଛି । ୟୁପିଏ ସରକାର ଅପେକ୍ଷା ଏବେ ଅଧିକ ଅର୍ଥ ରେଳବାଇ ପାଇଁ ଆସୁଥିବାବେଳେ ସହଯୋଗ ଅଭାବରୁ ଓଡ଼ିଶାରେ ରେଳ ପ୍ରକଳ୍ପଗୁଡ଼ିକ ଧିମା ହେଉଛି ବୋଲି କହିଛି ବିଜେପି । ସେପଟେ କଂଗ୍ରେସ ରେଳ ପ୍ରକଳ୍ପ ପାଇଁ ବିଜେଡିର ଦାବିକୁ ସମର୍ଥନ ଜଣାଇଛି ।

BJD Targets Centre Over Railway Fund

ଅନେକ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ସହ ଜମି ବ୍ୟବସ୍ଥା କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିଛନ୍ତି । ଏହାସତ୍ତ୍ୱେ କାମ ଆରମ୍ଭ ହୋଇନାହିଁ । ସଂସଦରେ ଏକଥା ଉଠାଇ ତୁରନ୍ତ ଅର୍ଥ ଦେବାକୁ ଦାବି କରିବ ବିଜେଡି । ଆସନ୍ତା ୨୯ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ପହିଲାରେ ଆଗତ ହେବ ସାଧାରଣରେ ବଜେଟ ।

Leave a Reply