ଓଡିଶା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଫାଳ ହେବ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ବିଜେଡି ୪ ଲୋକସଭା ଓ ୯୦ ପ୍ରତିଶତ ବିଧାୟକ ଆସନ ଜିତିବ । ଏହା ଜାଣିପାରି ବିଜେପି ନେତାଙ୍କ ମୁହଁ ଶୁଖି ଯାଇଥିବାବେଳେ ମନୋବଳ ମଧ୍ଯ ଭାଙ୍ଗିଯାଇଛି । ସେଥିପାଇଁ ବିଜେପିର ପାଞ୍ଚ ତୁଙ୍ଗ ନେତା ପ୍ରେସମିଟ କରି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ । କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନେ ଏହି ପ୍ରେସମିଟ କରିଥିଲେ । ତେବେ ଏହା ଫସର ଫାଟିଯାଇଥିଲା ।

ବିଜେଡି କହିଛି, ଶ୍ରୀମନ୍ଦିର ଓ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ଡ୍ରାମା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ । ଯାହା ରାଜ୍ୟବାସୀ କେବେ ଭୁଲିବେ ନାହିଁ । ଏଏସଆଇ, ଏନଏମଏ, ଜରିଆରେ ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ନିଜ ଅନୁଗତଙ୍କୁ ଲଗାଇ ସୁପ୍ରିମକୋର୍ଟ ଯାଇଥିଲେ । ଧର୍ମେନ୍ଦ୍ର ନିଜେ ଏହା ବିରୋଧ କରିବା କଥା କହିଥିଲେ । ବିଜେଡି ଏହାକୁ ବନ୍ଦ କରିବାକୁ ବିଜେପି ଇସ୍ତାହାରରେ ଲେଖିବାକୁ କହିଥିଲା । ସେତେବେଳେ କଥା ବଦଳାଇ ଦୋମୁହାଁ ନୀତି ଦେଖାଇଲେ । କିଭଳି ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ ଧର୍ମେନ୍ଦ୍ର ଅଣ୍ଡା ମାଡ଼ କରାଇଥିଲେ । ଯାହାକୁ ଓଡ଼ିଶାବାସୀ ପଂଚାୟତ ନିର୍ବାଚନରେ ଜବାବ ଦେଲେ ।

ବିଜେପୁର ଉପନିର୍ବାଚନରେ ଚପଲ ମାଡ଼ କଲେ । ଲୋକେ ଜବାବ ଦେଲେ । ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାହା ଟିପ୍ପଣୀ ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ସେମାନେ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖାନ କରିବେ । ମହାନଦୀ ରାଜନୀତି କରି ଛତିଶଗଡକୁ ସୁହାଇଲେ ଧର୍ମେନ୍ଦ୍ର । ଛତିଶଗଡ ମନ୍ତ୍ରୀଙ୍କୁ ଆଣି ଓଡ଼ିଶାରେ ପ୍ରଚାର ଚଳାଇଛନ୍ତି । ଧର୍ମେନ୍ଦ୍ର ଛତିଶଗଡ ପାଇଁ ଓକିଲାତି କରିଥିଲେ । ଓଡ଼ିଶାବାସୀଙ୍କୁ ଏବେ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ ।

ଅନ୍ଯପଟେ ବିଜେପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତା । ହେଲେ ଆଶାୟୀଙ୍କ ଭିତରେ ଏତେ ଯୁକ୍ତି ହେଲା ଯେ ଏହା ଶେଷରେ ବାତିଲ ହୋଇଥିଲା । ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ ବୋଲି ସେମାନେ ଜାଣିଛନ୍ତି । ବୋଧହୁଏ ମନମୋହନ ସାମଲଙ୍କ ଦଳରେ ସମ୍ମାନ ନାହିଁ । ଓଡ଼ିଶା ନିବାସ ଘଟଣା ପରେ ବୋଧେ ଆଉ ତାଙ୍କ ଗୁରୁତ୍ୱ ନାହିଁ । ମହିଳା ଭୋଟ ତାଙ୍କ ପାଇଁ କମୁଛି । ଦୟନୀୟ ସ୍ଥିତିରେ ଏପରି ଓଡ଼ିଶା ବିଜେପି ଅଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପାରୁ ନାହିଁ ବୋଲି କଟାକ୍ଷ କରିଛନ୍ତି ମୁଖପାତ୍ର ସୁଲତା ଦେଓ । ସେହିପରି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଶାଣିତ ଆକ୍ରମଣ କରିଛି ବିଜେଡି । ବୈଜୟନ୍ତ ପଣ୍ଡା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ତାଙ୍କ ଆଖି ଅପରେସନ ହୋଇଛି । ବୋଧହୁଏ ମୁଣ୍ଡରେ ଗୋଳମାଳ ହୋଇଯାଇଛି । ତେଣୁ ଅବାନ୍ତର, ଅବାସ୍ତବ କଥା କହୁଛନ୍ତି । ଦଳ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।