ଓଡ଼ିଶା ବିରୋଧରେ ଦିଲ୍ଲୀରେ ଷଡଯନ୍ତ୍ର, ହକ୍ ଦେବାକୁ ନାରାଜ କେନ୍ଦ୍ରର ବିଜେପି ସରକାର

ଭୁବନେଶ୍ବର: ନା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେଉଛ ନାଁ କୋଇଲା ରୟାଲଟି ସଂଶୋଧନ କରୁଛ । ସବୁ ଆଡୁ ଅବହେଳା । ବାରମ୍ବାର ଅଭିଯୋଗ ସତ୍ତ୍ଵେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଚରମସୀମାରେ ପହଞ୍ଚିଛି । ରାଜ୍ୟର କିଛି ବି ଦାବି ଶୁଣିବାକୁ ନାରାଜ କେନ୍ଦ୍ରର ବିଜେପି ସରକାର । ଓଡ଼ିଶା ପ୍ରତି ଦିଲ୍ଲୀ ଦରବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଆଜି ବର୍ଷିଛି ବିଜେଡି ।

ସାମ୍ଵାଦିକ ସମ୍ମିଳନୀରେ ଦଳର ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି, ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ନବୀନ ପଟ୍ଟନାୟକ ବାରମ୍ବାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛନ୍ତି, କିନ୍ତୁ କର୍ଣ୍ଣପାତ କରୁନି କେନ୍ଦ୍ର । ବିହାର ଓ ଆନ୍ଧ୍ରକୁ ଦେଲ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ, ହେଲେ ଓଡ଼ିଶାକୁ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ।

ସେହିପରି ବହୁ ବର୍ଷ ହେଲା କୋଇଲା ରୟାଲଟି ସଂଶୋଧନ ହୋଇ ନଥିବାରୁ ରାଜ୍ୟ ହରାଉଛନ୍ତି ଶହ ଶହ କୋଟି ଟଙ୍କା । ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଓଡ଼ିଶା ଖଣିଜ ସମ୍ପଦରୁ ୨୦୦୫ରୁ ଏପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କା ପାଇବ । କିନ୍ତୁ ସେହି ରାୟର ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ଵାରା ଓଡ଼ିଶାର କ୍ଷତି ହେବ ବୋଲି କହିବା ସହ ଏଥିରୁ କ୍ଷାନ୍ତ ହେବାକୁ ଓଡ଼ିଶାର ୨୦ ବିଜେପି ସାଂସଦ ଦାବି କରନ୍ତୁ ବୋଲି ସେ ଆହ୍ଵାନ ଦେଇଛନ୍ତି । ପିଏମ୍ ଆବାସ ପ୍ରଦାନରେ ବି ଓଡ଼ିଶାକୁ କରାଯାଇଛି ଅବହେଳ । ଯେତେ ଦରକାର ତାଠୁ ବହୁତ କମ୍ ପକ୍କା ଘର ଦିଆଯାଇଛି ।

ଅନ୍ୟପକ୍ଷେ ସୁଭଦ୍ରା ଯୋଜନା ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସେ ଅଭିଯୋଗ କରିଛନ୍ତି, ସବୁ ମହିଳାଙ୍କୁ ଦେବ ବୋଲି କହିଥିଲା ବିଜେପି । ରାଜ୍ୟରେ ପ୍ରାୟ ୨ କୋଟିରୁ ଅଧିକ ମହିଳା ଅଛନ୍ତି । କିନ୍ତୁ ୧ କୋଟି ମହିଳାଙ୍କୁ ଦେବ । ଏହି ପ୍ରତାରଣା କାହିଁକି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି । ତା’ଛଡ଼ା ଆଜି ଦେଲ ୫ ହଜାର, କିନ୍ତୁ ୫୦ ହଜାର କାହିଁକି ଲେଖିଛ ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ ।

ଆଗକୁ ସ୍ନେହାଙ୍ଗିନୀ କହିଛନ୍ତି, ସୁଭଦ୍ରା ଗାଇଡ୍ ଲାଇନ ବିଷୟରେ ମନ୍ତ୍ରୀଙ୍କୁ ବି ଜାଣିନାହାନ୍ତି । ଅଙ୍ଗନୱାଡ଼ି, ସିଆରପିଙ୍କୁ ଭୁଆଁ ବୁଲାଯାଉଛି । କେବଳ ସଭାକୁ ମହିଳା ବୋହି ଆଣିବାକୁ ସେମାନଙ୍କୁ ବ୍ୟବହାର କରାଯାଉଛି । ଦିନକୁ ମିଳୁଥିବା ୨୭ ଟଙ୍କାରେ ମହିଳାମାନେ କେଉଁ ଉଦ୍ୟୋଗ କରିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ ।