ସୁଭଦ୍ରା ଯୋଜନାକୁ ନେଇ ସରକାର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର : ରାଜ୍ୟ  ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି। ଗତ ନିର୍ବାଚନରେ ରାଜ୍ୟର ସବୁ ମହିଳାଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଦେବେ ବୋଲି କହିଥିଲା ବିଜେପି। ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା। ୧୫୦୦ ଟଙ୍କା ମାସିକ ଆଧାରରେ ପାଉଣା ପାଇଥିବା ଆଶା, ଅଙ୍ଗନବାଡି ସୁଭଦ୍ରା ଯୋଜନାର ପାଇବେନି ଲାଭ। ଋଣ କରି ଯେଉଁମାନେ ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ। ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ୨ଥର ଦେବେ। ଏଥିରେ ମହିଳା ମାନେ କି ବ୍ୟବସାୟ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ। ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନାଁର ଲାଭ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହା ଏବେ ପାଣିର ଗାର ହୋଇଛି। ସରକାରଙ୍କ ଧୂଆଁବାଣ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପୂର୍ବରୁ ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବୃତ୍ତି ବ୍ୟବସ୍ଥା  କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ। ହେଲେ ଏହା ଏବେ ବନ୍ଦ ହୋଇଯାଇଛି। ଏବେର ସରକାରଙ୍କ ଅହଂକାର ବଢ଼ିଯାଇଛି। ନିଜକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କହୁଛନ୍ତି। ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି ବୋଲି କହି ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ ମାଗଣା ବିଜୁଳି କଥା କହିଥିଲା ବିଜେପି। ହେଲେ ଏଯାଏ ଗୋଟିଏ ୟୁନିଟ ମଧ୍ୟ ଚାଷୀଙ୍କ ପାଖକୁ ଗଲାନି । ବିଜେପି ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି। କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି। ୩, ୫୦୦ ଭତ୍ତା ଦେବାକୁ କହିଥିଲେ ହେଲେ ଏବେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଲୋକଙ୍କ ସହ ପ୍ରତାରଣା ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଦଳର ଅନ୍ୟ କିଛି ବିଧାୟକ ମଧ୍ୟ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।