ବିଜେପି ଦେବାକୁ ଥିବା ରିପୋର୍ଟ କାର୍ଡକୁ ବିଜେଡିର ଭର୍ତ୍ସନା
1 min readଭୁବନେଶ୍ବର: ୨୪ ବର୍ଷର ନବୀନ ପଟନାୟକ ସରକାର ଓଡିଶା ପାଇଁ ସୁବର୍ଣ୍ଣ ଯୁଗ ଥିଲା l ବିକାଶ ଓଡିଶାର ଶୀର୍ଷରେ ପହଞ୍ଚିଥିଲା l ଯାହା ଏବେ ଲୋକେ ଝୁରୁଛନ୍ତି l ତେଣୁ ୪ ମାସ ପରେ ମୋହନ ସରକାରରେ ଯାହା ଘଟୁଛି ତାହା ଓଡିଶାବାସୀ ଦେଖିଲେନି ଓ ବୁଝିଲେନି ମଧ୍ୟ l ଅନ୍ୟପଟେ ବିଜେପି କହିଛି ମୋହନ ସରକାର ପ୍ରଥମ ବର୍ଷର ରିପୋର୍ଟ କାର୍ଡ ଓଡିଶାବାସୀଙ୍କ ପାଖରେ ରଖିବ l ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି l
୨୪ ବର୍ଷ ପରେ ଓଡ଼ିଶାର ଶାସନ ବ୍ୟବସ୍ଥା ବଦଳିଛି l ପ୍ରଥମ ଥର ଲାଗି ବିଜେଡି ବିରୋଧୀ ଆସନରେ ଓ ବିଜେପି କ୍ଷମତା ଦଖଲ କରିଛି l ହେଲେ ୪ ମାସ ଭିତରେ ଓଡ଼ିଶାର ବିକାଶ ରଥରେ ବ୍ରେକ ଲାଗିଥିବା ବେଳେ କଳଙ୍କର ଅଧାୟ ଆରମ୍ଭ ହୋଇଛି l ନବୀନଙ୍କ ୧୨ ବର୍ଷର ତପସ୍ୟାକୁ କିଛି ମାସ ମଧ୍ୟରେ ଶୁଖୁଆ ପୋଡlରେ ସାରି ଦେଲା ବିଜେପି ସରକାର l ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଅନାହାର ମୃତ୍ୟୁ ଆରମ୍ଭ ହୋଇଗଲା l
ସବୁଠି ଅରାଜଗତା ଓ ବ୍ୟତିକ୍ରମ ବି ଘଟିବାରେ ଲାଗିଲା l ମହାପ୍ରଭୁଙ୍କ ରଥଯାତ୍ରାଠାରୁ ଆରମ୍ଭ କରି ଭରତପୁର ଘଟଣା, ଓ ଦାରିଙ୍ଗବାଡିର ଆମ୍ବ ଟାକୁଆ ଖାଇ ୨ ଜଣ ଆଦିବାସୀ ମୃତ୍ୟୁ ହେବା ପରି ଲମ୍ବା ବିଫଳତା ଜଳ ଜଳ କରି ସାମ୍ନାକୁ ଆସିଲା l ଯାହାକୁ ନେଇ ବିଜେପି ସରକାର ଓ ଓଡିଶା ଦେଶରେ ବଦନାମ ହୋଇଛି l ହେଲେ ଏହାକୁ ହାଲକା ଭାବେ ନେଇଛନ୍ତି ସରକାରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱରେ ଥିବା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ମନ୍ତ୍ରୀ ଯୁକ୍ତି ବାଢିଛନ୍ତି ଯେ ୨୦୦୯ରୁ ୨୦୨୪ ମଧ୍ୟରେ ଯାହା ହୋଇନାହିଁ ତାହା କରି ଦେଖାଇଛି ବିଜେପି ସରକାର l
ସେପଟେ ବିଜେପି ସରକାରଙ୍କ ରିପୋର୍ଟ କାର୍ଡ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ l ପ୍ରମିଳା କହିଛନ୍ତି, ଗତ ୨୪ ବର୍ଷ ଭିତରେ କେହି ଆମ୍ବ ଟାକୁଆ ଖାଇ ନଥିଲେ । ସେମାନେ ଖୁଆଇ ଦେଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭଳି ରାଜ୍ୟକୁ ବଳକା ରାଜ୍ୟ କରିଥିଲେ, ବର୍ତ୍ତମାନର ସରକାର ପରିବର୍ତ୍ତନ ନାରା ଦେଇ ଆସି ଆମ୍ବ ଟାକୁଆ ଖୁଆଇ ଦେଲେ । ଶେଷରେ ଲୋକ ମଲେ । ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଏବେ ରିପୋର୍ଟ କାର୍ଡ ଦେବାକୁ କହିଛି ବିଜେପି । କି ରିପୋର୍ଟ କାର୍ଡ ଦେବେ ? କେବଳ ନାଁ, ରଙ୍ଗ ଓ କର୍ମଚାରୀ ପରିବର୍ତ୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କେବଳ ବିଦେଶ ଗସ୍ତ କରି ଦଳୀୟ କାମ କଲେ ଲୋକଙ୍କ ପେଟ ପୂରିବ ନାହିଁ l ଯଦି ବିଜେପି ସରକାର ସତ ସାହସ ଅଛି ଓଡିଶାବାସୀଙ୍କ ପାଖରେ ତାଙ୍କ ରିପୋର୍ଟ କାର୍ଡରେ ଏସବୁ କଥା ପ୍ରକାଶ କରିବା ଦରକାର ବୋଲି ବିଜେଡି କହିଛି l ଅନ୍ୟପଟେ ନବୀନ ଓ ମୋହନ ସରକାରକୁ ତୁଳନା କରିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି l ବିଜେପି ସରକାର କେବଳ ଅନ୍ୟର ଦୋଷ ଦେଖାଇ ନିଜ ଦୁର୍ବଳତା ଲୁଚାଇବାକୁ ପ୍ରୟାସ କରିଛି ବୋଲି ସେ କହିଛନ୍ତି ।
ବିକାଶ ଓ ଜନସେବା ପାଇଁ ନବୀନ ଶାସନ ପୂରା ଭାରତ ବର୍ଷରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ହେଲେ ରାଜ୍ୟରେ ବିଜେପି ଆସିବା ପରଠୁ ଏଥରେ ବ୍ୟତିକ୍ରମ ଦେଖା ଦେଇଛି l ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି l