ସୌମ୍ୟଙ୍କୁ ବିଜେଡିର ଚେତାବନୀ, ନିଜକୁ ସୁଧୁରେଇ ନିଅନ୍ତୁ
ଭୁବନେଶ୍ବର: ନିଜକୁ ସୁଧୁରେଇ ନିଅନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବେ ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଛନ୍ତି । ଆଗକୁ ଯଦି ଏଭଳି ଦଳବିରୋଧୀ କାର୍ଯ୍ୟ ଜାରି ରଖିବେ ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସୌମ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇସାରିଛନ୍ତି । ଏଣୁ ନିଜେ ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତୁ । ସୌମ୍ୟ ଦୀର୍ଘଦିନ ଧରି ଦଳବିରୋଧୀ ମତ ଦେଉଛନ୍ତି ।
ଏହାପଛରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମନ୍ତ୍ରୀ ହେବା । ମନ୍ତ୍ରୀ ହେବା ପାଇଁ ସେ ବିଜେଡିକୁ ବ୍ଲାକମେଲିଂ କରୁଛନ୍ତି । ଯେଉଁଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଉପସଭାପତି ପଦରୁ ବିଦା କରିଛନ୍ତି । ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମାଲୋଚନା କରି ଇସ୍ତଫା ଦେବାକୁ ସୌମ୍ୟଙ୍କୁ ଆହ୍ବାନ ଦେଇଛନ୍ତି । ନିଜର ଅଭିସନ୍ଧି ପୂରଣ ହେଲାନି ବୋଲି ଦଳରେ ରହି ବ୍ଲାକମେଲ କରିବା ଚିନ୍ତାଧାରାକୁ ନବୀନ ଗ୍ରହଣ କରିନାହାନ୍ତି । ନବୀନଙ୍କୁ ବିଜେଡି ନେତା ଭେଟି ପାରୁନାହାଁନ୍ତି ବୋଲି ସୌମ୍ୟଙ୍କ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସୌମ୍ୟଙ୍କୁ ଆଣି ରାଜ୍ୟସଭା ଓ ପରବର୍ତ୍ତୀ ସମୟରେ ବିଧାୟକ କରିଛି ବିଜେଡି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସୌମ୍ୟ ବିଧାୟକ ହେବାର ସୁଯୋଗ ପାଇଲେ । ପରେ ମନ୍ତ୍ରୀ ହେବାର ଇଚ୍ଛାକୁ ଚରିତାର୍ଥ କରିବାକୁ ବ୍ଲାକମେଲ କଲେ । ଯଦି ନୀତିନୈତିକତାର ଚର୍ଚ୍ଚା କରିବାର ଥିଲା ତେବେ ଦଳରେ ଯୋଗଦେଲା ବେଳେ କାହିଁକି ଭାବିନଥିଲେ ବୋଲି ଲେନିନ ପ୍ରଶ୍ନ କରିଛନ୍ତି । ସବୁ ସହାୟତା ପରେ ବି ସୌମ୍ୟ ଦଳକୁ ଯେଭଳି ବ୍ଲାକମେଲ କଲେ ତାହା ଦଳ ଗ୍ରହଣ କରିବନି । ଏଥିପାଇଁ ଉପସଭାପତି ପଦରୁ ବହିଷ୍କୃତ କରାଯାଇଛି ।