ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର, ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ବଢୁଛି ଅତ୍ୟାଚାର : ବିଜେଡି
1 min readଭୁବନେଶ୍ବର : ରାଜ୍ୟ ସରକାର ଓ ବିଜେପି ଉପରେ ବର୍ଷିଲା ବିଜେଡି । ରାଜ୍ୟ ସରକାର ଓ ବିଜେପି ଉପରେ ମହିଳା,ନାବାଳିକା ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ତଥା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର । ଦିନକୁ ଦିନ ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ବଢୁଛି ଅତ୍ୟାଚାର । ନବୀନ ପଟ୍ଟନାୟକଙ୍କ ସମୟର ସାମାଜିକ ସୁରକ୍ଷା ଏହି ସରକାରରେ ତଳକୁ ଖସିଲାଣି । କିଛି ଦିନ ହେବ ବଲାଙ୍ଗୀରରେ ଛୁଆ ଓ ମହିଳା ଅତ୍ୟାଚାର ଖବର ଆସୁଛି । ଖପ୍ରାଖୋଲ ବ୍ଲକରେ ଛୁଆ ବିକ୍ରି ଖବର ଆସିଛି । ଏହା ପୁଣି ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ବ୍ରହ୍ମପୁରରେ ମଧ୍ୟ ଛୁଆ ବିକ୍ରି ହୋଇଛି । ବୋଙ୍ଗାମୁଣ୍ଡାରେ ଆଦିବାସୀ ମହିଳା ଉପରେ ଅତ୍ୟାଚାର ହୋଇଛି । ହେଲେ ବିଜେପି ସରକାର ଆଇନ ଶୃଙ୍ଖଳା ରକ୍ଷା ପାଇଁ କିଛି କରି ପାରୁନାହାନ୍ତି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।
ଅନ୍ୟପଟେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ନୂଆ ସରକାର ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଛି ଓ ସରକାର ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ସାରା ଦେଶରେ ସୋସିଆଲ ଇଞ୍ଜିନିଅରିଙ୍ଗ କରୁଛି । ବିଭାଜନ କରି ଭୋଟ ନେଉଛି । ହେଲେ ସାମାଜିକ ନ୍ୟାୟ ଦେବାରେ ବିଫଳ । ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଲାଣି । ବୋଙ୍ଗାମୁଣ୍ଡା ଥାନା ଅନ୍ତର୍ଗତରେ ଜଣେ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର, ମାଡ଼ ଓ ବିଷ୍ଟା ଖୁଆଇବା ନିନ୍ଦନୀୟ । ପାଟଣାଗଡ଼ ଖପ୍ରାଖୋଲରେ ସାମାଜିକ ନ୍ୟାୟ ନ ପାଇ ଶିଶୁ ବିକ୍ରି କଲେ । ଟିଟିଲାଗଡ଼ରେ ବିଜେପି ବିଧାୟକ ନବୀନ ଜୈନ ଜଣେ ନାବାଳିକା ଦଳିତ ଝିଅର ଜୋରଜବରଦସ୍ତ ବିବାହରେ ସମ୍ପୃକ୍ତ ଅଛନ୍ତି । ନୀଳଗିରି, ରେମୁଣାରେ ନାବାଳିକା ଧର୍ଷଣ ହୋଇଛି । ବଲାଙ୍ଗୀର ହେଉଛି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ଜିଲ୍ଲା । ତଥାପି ସେ ଚୁପ ଅଛନ୍ତି । ଆଉ ଜଣେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ଜଣେ ମହିଳା । ଏ ସବୁ ଘଟଣା ମହିଳାଙ୍କ ଉପରେ ଉତ୍ପୀଡନର କଥା । ତଥାପି ସେ ଚୁପ ଅଛନ୍ତି । ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଭଗୋଡାଙ୍କ ସହ ଭେଟୁଛନ୍ତି । ସେମାନଙ୍କ ନାଁରେ NBW ଜାରି ହୋଇଛି ଓଡ଼ିଶାରେ । ସେମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଛାଡି ସିଙ୍ଗାପୁର ଯାଇଛନ୍ତି । ଟିକସ ଦାତାଙ୍କ ପଇସାରେ ବିଦେଶ ବୁଲିବା ନିନ୍ଦନୀୟ । ଯଦି ବୁଲିବେ, ନିଜ ପଇସାରେ ବୁଲନ୍ତୁ । ଉପ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର କଥା ଉପରେ ବି ନ୍ୟାୟ ଦେବାର ପ୍ରତିଶୃତି ଦେଇ ନାହାନ୍ତି । ବିଜେପି ଆସିବାରେ ଅପରାଧୀଙ୍କ ସାହସ ବଢୁଛି । କାରଣ ସେମାନେ ଜାଣିଛନ୍ତି ଏଠି ପୋଲିସ କିଛି କରିବ ନାହିଁ । ବିଜେପି ଓଡ଼ିଶାକୁ ନ୍ୟାୟ ଦେଉନି । କେବଳ ପ୍ରତୀକ ଭାବେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ବସାଯାଇଛି । ହେଲେ ଆଦିବାସୀଙ୍କ ଜମି, ଖଣି, ପାହାଡ଼, ଜଙ୍ଗଲ ବିକିବାରେ ଚାଲିଛି ବିଜେପି । ଯଦି ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ, ଏହା ସ୍ୱାଗତଯୋଗ୍ୟ । ହେଲେ ୨୪ ପ୍ରତିଶତ ଆଦିବାସୀଙ୍କୁ ନ୍ୟାୟ ମିଳିବା ଦରକାର । ନ ହେଲେ ଭୋଟ ପାଇଁ ରବର ଷ୍ଟାମ୍ପ ହୋଇ ମୁଖ୍ୟମନ୍ତ୍ରୀ ରହିଯିବେ । ନ୍ୟାୟ ନ ମିଳିଲେ ରାଜରାସ୍ତାରେ ଆନ୍ଦୋଳନ କରିବ ବିଜେଡି ।