ବୀମା କମ୍ପାନୀଙ୍କୁ ଅପେକ୍ଷା ନକରି କ୍ଷତିପୂରଣ ଦିଅନ୍ତୁ ସରକାର : ବିଜେଡି
କଟକ : ଅଦିନିଆ ବର୍ଷାରେ ଧାନ ଫସଲ କ୍ଷୟକ୍ଷତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କୃଷି ଓଡିଶା କାର୍ଯ୍ୟକ୍ରମରେ ଦେଇଥିବା ବିବୃତି ନେଇ ତୀବ୍ର ପତିକ୍ରିୟା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ କୁମାର ସାହୁ। ସରକାର ଏଣୁତେଣୁ କଥା ନ କହି ବୀମା କମ୍ପାନୀକୁ ଅପେକ୍ଷା ନକରି ପ୍ରଥମେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ରାଜକୋଷରୁ କ୍ଷତିପୂରଣ ଦିଅନ୍ତୁ। ଅଫିସରଙ୍କ ଦ୍ଵାରା ଜିଓ ଟ୍ୟାଗ୍ ସର୍ଭେ କରି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ଧାନ ଯେଉଁ ଅବସ୍ଥାରେ ଅଛି ତୁରନ୍ତ ତାକୁ ସରାକର କିଣିନେବା ସହିତ ଚାଷୀଙ୍କ ସହ ଏହି ସମୟରେ ଛିଡା ହୁଅନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ୭ ମାସର ସରକାର ଆଜି କେବଳ ଉପକ୍ରମଣିକାରେ ରହିଯାଇଛନ୍ତି। ଭିତରକୁ ଯାଉନାହାନ୍ତି। ପୂର୍ବ ସରକାର କିଛି କରିନାହିଁ ବୋଲି ନୂଆ ସରକାର କହି ବୁଲୁଥିବା ବେଳେ ଏହାର ଜବାବ ରଖିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ। ଦୁଇ ହଜାର ମସିହାରେ ନବୀନ ଓଡିଶାର ଦାୟିତ୍ୱ ନେବା ବେଳେ ରାଜ୍ୟରେ ୨୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲା। ଏହା ଆଜି ୮୫ଲକ୍ଷ ଲିଟରରେ ପହଁଚିଛି। ସେହିଭଳି ଦୈନିକ ଅଣ୍ଡା ଉତ୍ପାଦନ ୨୦ରୁ ୨୨ ଲକ୍ଷରୁ ୯୦ରୁ ଦେଢ଼ ଲକ୍ଷ, ମାଛରୁ ଏବେ ୧୦ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଧାନ ଓ ଚାଉଳରେ ବଳକା ରାଜ୍ୟ ହୋଇଛି ଓଡିଶା। ଚିକେନ ଉତ୍ପାଦନ ୧୦ ଗୁଣ ବଢିଛି। ପନିପରିବାରେ ୫୦ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏଥିଲାଗି କେନ୍ଦ୍ରରୁ ୬ ଥର ମିଳିଛି କୃଷି କର୍ମଣ ପୁରସ୍କାର।ତେଣୁ ମୋହନ ସରକାର ବୟାନବାଜି ଛାଡି ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ଚାଷ କ୍ଷୟକ୍ଷତି ନେଇ ବିଜେଡି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି। ସରକାର କ୍ଷୟକ୍ଷତି ସଠିକ ରିପୋର୍ଟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ଭୟାବହ ଲଢେଇ ହେବ। ଆଉ ବିଜେଡି ଏହାର ନେତୃତ୍ୱ ନେବ ବୋଲି କଟକରେ ଆୟୋଜିତ ପ୍ରେସମିଟରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।