ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ଉଚିତ୍ ନୁହେଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ବିଭ୍ରାନ୍ତିକରଣ ଉତ୍ତର ରଖୁଛନ୍ତି ରାଜ୍ଯ ସରକାର । ଜଳ ସଂପଦ ବିଭାଗ ସମ୍ପର୍କରେ ରଖାଯାଉଛି ଅସତ୍ଯ ଉତ୍ତର । ସଂସଦୀୟ ବ୍ଯାପାର ବିଭାଗ ମନ୍ତ୍ରୀ ଗୋଟିଏ ଓ ମୁଖ୍ଯମନ୍ତ୍ରୀ ଦେଉଛନ୍ତି ଆଉ ଗୋଟିଏ ଉତ୍ତର । ଏଭଳି ଅଭିଯୋଗ ଆଣି ତଥ୍ଯ ପ୍ରମାଣ ସହ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ବେଳେ ଜଳସଂପଦ ବିଭାଗର ଏକ ଅତିରିକ୍ତ ପ୍ରଶ୍ନରେ ମୁଖ୍ଯମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖିଥିଲେ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବ ସରକାର ରାଜ୍ଯରେ ୩୫ ପ୍ରତିଶତ ଜମିକୁ ଜଳସେଚିତ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଅଧା ମଧ୍ଯ କରିପାରିନାହାନ୍ତି ବୋଲି ସଂସଦୀୟ ବ୍ଯାପାର ମନ୍ତ୍ରୀ ଉତ୍ତର ରଖିଥିଲେ । କିନ୍ତୁ ବିଜେଡି ବିଧାୟକ ଧୃବ ସାହୁଙ୍କର ଏକ ଲିଖିତ ପ୍ରଶ୍ନରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଅଲଗା ଉତ୍ତର ଦେଇଛନ୍ତି । ୨୦୨୪ ମାର୍ଚ୍ଚ ସୁଦ୍ଧା ସମୁଦାୟ ଚାଷପୋଯୋଗୀ ଜମି ୬୧ ଲକ୍ଷ ୮୦ ହଜାର ଜମିରୁ ୪୯.୯୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଛି ବୋଲି ମୁଖ୍ଯମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ।

ଯାହା ମୋଟ ଚାଷ ଜମିର ୮୦.୭୯ ପ୍ରତିଶତ । ଏହିଭଳି ଭିନ୍ନ ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଧୃବ ସାହୁ । ସଂସଦୀୟ ବ୍ଯାପାର ବିଭାଗର ମନ୍ତ୍ରୀ ନା ମୁଖ୍ଯମନ୍ତ୍ରୀଙ୍କ ଉତ୍ତର ଠିକ ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ସେହିଭଳି ଅନ୍ଯଏକ ପ୍ରଶ୍ନରେ ମୁଖ୍ଯମନ୍ତ୍ରୀଙ୍କ ବଦଳରେ ବ୍ଯାପାର ବିଭାଗର ମନ୍ତ୍ରୀ କହିଥିଲେ, ଲୋୟର ସୁକତେଲ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇନାହିଁ । ତରବରିଆ ଭାବେ ପୂର୍ବତନ ମୁଖ୍ଯମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ । ଏବଂ ଆଗାମୀ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଚାଷୀ ଏହାର ସୁବିଧା ପାଇବେ ନାହିଁ । କିନ୍ତୁ ଧୃବ ସାହୁଙ୍କ ଅଣତାରକା ପ୍ରଶ୍ନରେ ମୁଖ୍ଯମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ଯେ, ରାଜ୍ଯରେ ନିର୍ମାଣାଧୀନ ୧୪ ଗୋଟି ବୃହତ ଓ ମଧ୍ଯମ ଜଳସେଚନ ପ୍ରକଳ୍ପ ମଧ୍ଯରୁ କେବଳ ଅଙ୍ଗ ଓ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଅତିରିକ୍ତ କାମ ବାକି ଅଛି । ଏଥିରୁ ସ୍ପଷ୍ଟଯେ ଲୋୟର ସୁକତେଲ ପ୍ରକଳ୍ପର କାମ ଶେଷ ହୋଇଛି । ଏଣୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଠିକ କହୁଛନ୍ତି ନା ତାଙ୍କ ବଦଳରେ ଉତ୍ତର ରଖୁଥିବା ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସତ କହୁଛନ୍ତି ତାହା ଗୃହରେ ସ୍ପଷ୍ଟ କରିବାକୁ ଧୃବ ଦାବି କରିଛନ୍ତି ।