ବୈଜୟନ୍ତଙ୍କ ଭିତର ଚେହେରା ଗୋଟେ, ବାହାର ଚେହେରା ଗୋଟେ

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । ତାଙ୍କର ଭିତର ଚେହେରା ଗୋଟିଏ, ବାହାର ଚେହେରା ଗୋଟିଏ । ବନ୍ଧୁଙ୍କ ମନ ଜିଣିବା ଲାଗି ଓଡିଶା ସଂସ୍କୃତିକୁ ଲଗାଇଥିଲେ ବାଜି । ଜାତୀୟ ରାଜନୀତିରେ ପରିଚୟ ହରାଇଥିବା ବୈଜୟନ୍ତ ଲଗାତାର ଦେଶର ପ୍ରମୁଖ ଜନନାୟକ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ଯକୁ ନେଇ ବାରମ୍ବାର ଖେଳି ଆସିଛନ୍ତି ନିଜର ପଲିଟିକାଲ୍ କାର୍ଡ ।

ଓଡ଼ିଶାର ସ୍ବାର୍ଥ ଓ ବିକାଶକୁ ବିରୋଧ କରି ଆଜି ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଉଥିବା ବିଜେପି ନେତାଙ୍କ କଳଙ୍କିତ ଇତିହାସ ଯେ, କେତେ କଦର୍ଯ୍ୟ ଓ ଅପରାଧିକ ପ୍ରବଣ ତାହା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଓଡ଼ିଆ ଅସ୍ମିତାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ଅସଲ ଚେହେରା କ’ଣ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି ।

ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଦଳ ବିରୋଧୀ କାର୍ଯ୍ୟକରି ୨୦୧୮ରେ ବିଜେଡିରୁ ନିଲମ୍ବିତ ହେବା ପରେ ଜାତୀୟ ସ୍ତରରେ ଓଡ଼ିଶାକୁ ବଦନାମ୍ କରିବାକୁ ଭରପୁର ପ୍ରୟାସ କରିଥିଲେ । ସେତେବେଳେ ଏ ନେଇ ଏକ ଭୟଙ୍କର ଷଡ଼ଯନ୍ତ୍ର ମଧ୍ୟ ରଚାଯାଇଥିଲା । ୨୦୧୮ ସେପ୍ଟେମ୍ବର ୧୫ ତାରିଖରେ ବୈଜୟନ୍ତ ନିଜର ଦିଲ୍ଲୀ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଓଡ଼ିଶା ବୁଲାଇ ଆଣିଥିଲେ । ଏପରିକି ନିଜ ହେଲିକପ୍ଟରରେ ନୋ ଫ୍ଲାଇଂ ଜୋନ୍ ମଧ୍ୟରେ ଥିବା ଚିଲିକା, ପୁରୀ ଓ କୋଣାର୍କ ଉପରେ ତାଙ୍କୁ ବୁଲାଇଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ତାଙ୍କ ବନ୍ଧୁ । ସାରା ଦୁନିଆରେ କୋଣାର୍କର କାରୁକାର୍ଯ୍ୟ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ବୈଜୟନ୍ତଙ୍କର ବନ୍ଧୁ ବ୍ଲାଗ୍ ପାଗୋଡା ସଂପର୍କରେ ଦେଇଥିଲେ ଅରୁଚିକର ମନ୍ତବ୍ୟ । ଶିଳ୍ପୀ ହାତର ନିଖୁଣ କରିସ୍ମା ପାଇଁ ପୂରା ଦୁନିଆରେ କଳା ଭାସ୍କର୍ଯ୍ୟର ମୂର୍ତ୍ତିମନ୍ତ ସ୍ଥପତି କୋଣାର୍କ ବିଖ୍ୟାତ ଥିବା ବେଳେ, ବୈଜୟନ୍ତଙ୍କର ବନ୍ଧୁ ଓଡ଼ିଆ ଶିଳ୍ପୀକୂଳକୁ କରିଥିଲେ ଅପମାନିତ । ଅହଙ୍କାରର ସବୁ ସୀମା ଟପି ଯେତେବେଳେ ବୈଜୟନ୍ତଙ୍କର ବନ୍ଧୁ ଓଡ଼ିଶାର ସୃଜନଶୀଳତା ଓ ପ୍ରଚୀନ ଇତିହାସକୁ ଚାହି ଟାପରା କରୁଥିଲେ ସେତେବେଳେ କେଉଁଠି ଥିଲା ବିଜେପି ନେତାଙ୍କର ଅସ୍ମିତା ? ନିଜର ଅରୁଚିକର ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ମାଗି ନଥିଲେ ବୈଜୟନ୍ତଙ୍କ ଅହଙ୍କାରୀ ବନ୍ଧୁ । ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ସେପ୍ଟେମ୍ବର ୨୦ରେ ତାଙ୍କୁ ଗିରଫ କରାଯାଇଥିଲା । ୪୦ ଦିନ ଜେଲରେ ରହିବା ପରେ ମୁକୁଳିଥିଲେ ବୈଜୟନ୍ତଙ୍କର ବନ୍ଧୁ । ଏବେ ଅସ୍ମିତା କଥା କହୁଥିବା ବୈଜୟନ୍ତ ସେତେବେଳେ କୁଆଡେ ଯାଇଥିଲେ ବୋଲି ଆଜି ପ୍ରଶ୍ନ କରୁଛନ୍ତି ଓଡ଼ିଶାବାସୀ । ନୋ ଫ୍ଲାଇଂ ଜୋନରେ ହେଲିକପ୍ଟର ଉଡାଇବା ନେଇ ପରିବେଶ ଉଲଙ୍ଘନକାରୀ ବୈଜୟନ୍ତଙ୍କ ବିରୋଧରେ ଚିଲିକା ଅରଖକୁଦ ମେରାଇନ୍ ଥାନାରେ ଧାରା ୨୭୭, ୨୭୮, ୩୩୬ ଏବଂ ୪୩ରେ ମାମଲା ରୁଜୁ ହୋଇଥିଲା ।

୨୦୧୪ରୁ ଲଗାତର ଭାବେ ଦେଶର ଜଣେ ବର୍ଷିଆନ୍ ନେତା ତଥା ଜନନାୟକଙ୍କ ବିରୋଧରେ ବୈଜୟନ୍ତ ଅପପ୍ରଚାର ଓ ମିଥ୍ୟା ତଥ୍ୟ ଦେଇ ଚାଲିଥିବା ବିଜେଡି ଅଭିଯୋଗ କରିଆସିଛି । ସାଢେ ଚାରି କୋଟି ଓଡ଼ିଆଙ୍କ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ନିଜର ପଲିଟିକାଲ୍ କାର୍ଡ ବାରମ୍ବାର ଖେଳୁଛନ୍ତି ବୈଜୟନ୍ତ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସଂପର୍କିତ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରସଙ୍ଗରେ ନିଜର ମିଛ ଟିପ୍ପଣି ଦେବାକୁ ବୈଜୟନ୍ତ କ’ଣ ଓଡ଼ିଆ ଅସ୍ମିତା କହିବେ କି ? ଗତ ୭ ବର୍ଷରେ ସେ ଏତେ ତଳସ୍ତରକୁ ଯାଇଛନ୍ତି ଯେ, ଜାତୀୟ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା କ’ଣ ଜଣେ ଦାୟିତ୍ବବାନ୍ ରାଜନେତାର ଲକ୍ଷଣ କି ? ନିଜର ସ୍ବାର୍ଥ ହାସଲ ପାଇଁ ସବୁବେଳେ ଚେଷ୍ଟା କରୁଥିବା ନେତା ଯେ, ବେଳ ଆସିଲେ ନିଜକୁ ଅତ୍ୟନ୍ତ ଘନିଷ୍ଠ କହୁଥିବା ବ୍ୟକ୍ତିର ସ୍ବାସ୍ଥ୍ୟକୁ ନେଇ ମିଛ ଟିପ୍ପଣି କରିପାରନ୍ତି ତାହା ସେ ପ୍ରମାଣିତ କରିଛନ୍ତି । ୨୦୧୪ରେ ନବୀନଙ୍କ ସ୍ବାସ୍ଥ୍ଯ ସଂପର୍କରେ ଟିପ୍ପଣୀ କରିଥିଲେ ବୈଜୟନ୍ତ । ଏହାର ୧୦ ବର୍ଷ ପରେ ଆଜି ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି ନବୀନ । ଏହା ହିଁ ପ୍ରମାଣ କରୁଛି, କେତେ ମିଛ କହିଥିଲେ ବୈଜୟନ୍ତ ।

ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ମାଲିକାନାରେ ଥିବା ଶିଳ୍ପ ସଂସ୍ଥାଙ୍କର ବକେୟା ବିଜୁଳି ବିଲ୍ ସଂପର୍କରେ ସାରା ଓଡ଼ିଶା ଜାଣିଛି । ୮୦୦ରୁ ଅଧିକ କୋଟି ଟଙ୍କା ବାକି ରଖିବା କେଉଁ ଅସ୍ମିତାର ପରିଚୟ ବୋଲି ପଚାରୁଛନ୍ତି ଓଡ଼ିଶାବାସୀ । ବିଜୁଳି କମ୍ପାନୀ ବାରମ୍ବାର ବିଲ୍ ପଠାଇବା ସହ ନୋଟିସ୍ କରିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ରାଜକୋଶର ୮୦୦ କୋଟି ଟଙ୍କା ବାକି ରଖିଛନ୍ତି ତାଙ୍କ ପାରିବାରିକ ସଂସ୍ଥା । କଥା ସେତିକିରେ ସରୁନି, ୨୦୨୦ରେ ବୈଜୟନ୍ତ ଓଡ଼ିଶାର ଜଗନ୍ନାଥ ଭୂମିକୁ ପାକିସ୍ତାନ ସହିତ ତୁଳନା କରିବାକୁ ମଧ୍ୟ ପଛାଇ ନଥିଲେ । ଏହା କ’ଣ ଥିଲା ଓଡ଼ିଆ ଅସ୍ମିତା ? ଓଡ଼ିଶାର କଳା, ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଯେତେବେଳେ ଓଡ଼ିଆଙ୍କୁ ରାଷ୍ଚ୍ରୀୟ ସ୍ତରରେ ନିନ୍ଦିତ କରୁଥିଲେ ସେତେବେଳେ କାହିଁକି ଚୁପ୍ ଥିଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବାହାରିଥିବା ଏ ଅଦିନିଆ ଠିକାଦାର ଥିଲେ ।