ଓଡ଼ିଶାରେ ଆଇଟି ରେଡକୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ  

ଭୁବନେଶ୍ବର: ଓଡ଼ିଶାରେ ଆଇଟି ରେଡକୁ ନେଇ ଓଡ଼ିଶା ବିଜେପିକୁ ଟାର୍ଗେଟ କଲା ବିଜେଡି । ଆୟକର ବିଭାଗ ଚଢାଉ ନେଇ ରାଜ୍ୟ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରିବା ଆଗରୁ ରାଷ୍ଟ୍ରୀୟ ବିଜେପି ନେତା ଓ ଝାଡ଼ଖଣ୍ଡ ବିଜେପି ନେତା କଣ କହୁଛନ୍ତି ସେ ସମ୍ପର୍କରେ ଅବଗତ ରହିବା କଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ । ଝାଡଖଣ୍ଡ ବିଜେପି ନେତା କହୁଛନ୍ତି ମିଳିଥିବା ଟଙ୍କା କଂଗ୍ରେସର । କଂଗ୍ରେସ ନେତା କହୁଛନ୍ତି ଜବତ ଟଙ୍କା ବିଜେପିର । ଉଭୟ ଦଳ ଉଭୟଙ୍କୁ ଦୋଷାରୋପ କରୁଛନ୍ତି ।

ବୋଧହୁଏ ବିଜେପି ଓ କଂଗ୍ରେସ ନେତା ନିଜ ନିଜର ଟଙ୍କାକୁ ବ୍ୟବସାୟୀଙ୍କ ଜରିଆରେ ଠୁଳ କରି ରଖିଥିଲେ ବୋଲି କହିଛନ୍ତି ଇପସିତା । ବିଜୁ ଜନତା ଦଳ ସର୍ବଦା ଆଇନକୁ ସମ୍ମାନ ଦିଏ । ଆୟକର ବିଭାଗ ଚଢାଉକୁ ଦଳ ସ୍ବାଗତ କରିଛି । ମିଳିଥିବା ଟଙ୍କା ଓ ବ୍ୟବସାୟୀଙ୍କ ସହ ବୋଧହୁଏ ପଶ୍ଚିମ ଓଡିଶାର କିଛି ବିଜେପି ନେତା ସମ୍ପର୍କରେ ରହିଛନ୍ତି । ତେଣୁ ତଥ୍ୟ ଆସିବା ଆଗରୁ ଛାନିଆ ହୋଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ତଦନ୍ତ ପରେ କାହା ସହ କି ପ୍ରକାର ସମ୍ପର୍କ ରହିଛି ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଇପସିତା ।