ନିଜକୁ ଲୋକଙ୍କ ସରକାର କହୁଛି ବିଜେପି, କିନ୍ତୁ ବର୍ଷେ ହେଲା କରି ଚାଲିଛି ପ୍ରତାରିତ : ବିଜେଡି

ନନ୍ଦିଘୋଷ ବ୍ୟୁରାେ : ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି। ଜନଜାଗରଣ ଅଭିଯାନ ଜରିଆରେ ଲୋକଙ୍କୁ ଦେଲେ ବିଜେପି ସରକାରଙ୍କ ବିଫଳତାର ତାଲିକା। ସରକାରଙ୍କ ମିଛ ପ୍ରଚାର ବିରୋଧରେ ସାରା ରାଜ୍ଯରେ କରାଯିବ ସଚେତନ। ବର୍ଷେ ଧରି ରାଜ୍ୟବାସୀଙ୍କୁ ପ୍ରତାରିତ କରୁଛି ବିଜେପି ସରକାର । କେବଳ ଘୋଷଣା ଓ ହୋର୍ଡିଂରେ ଚାଲିଛି ବିକାଶ। ଏଭଳି ଅଭିଯୋଗ କରି ଆଜି ବିଜେଡି ଆରମ୍ଭ କରିଛି ଜନଜାଗରଣ ଅଭିଯାନ। ରାଜ୍ଯରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଗୋଟି ଗୋଟି ମିଛକୁ ଜନଜାଗରଣ କାର୍ଯ୍ୟକ୍ରମ ଜରିଆରେ ପର୍ଦ୍ଦାଫାଶ କରିଛି ବିଜେଡି।

ମହାନଦୀ ପାଣି ଶୁଖିବା ପ୍ରସଙ୍ଗଠୁ ଆରମ୍ଭ କରି ପୋଲାଭରମ, ଦରଦାମ ବୃଦ୍ଧି, ବେରୋଜଗାରୀ, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା, ଓଡ଼ିଶା ପ୍ରତି ଅନ୍ୟାୟ, ଧାନରେ କଟନି ଛଟନି, ୩୦୦ ୟୁନିଟ୍ ମାଗଣା ବିଜୁଳି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ବିଫଳତାକୁ ଲୋକଲୋଚନକୁ ଆଣିଛି ବିଜେଡି। ରଙ୍ଗ ମାରିବା, ନାଁ ବଦଳାଇବା ଭଳି କାମ କରି ବିଜେପି ଲୋକଙ୍କୁ ଭୁତେଇ ଚାଲିଛି ବୋଲି ନାରା ଦେଇ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ କରିଥିଲା ବିଜୁ ଜନତା ଦଳ। ବ୍ଯାରିକେଡ ଭାଙ୍ଗି ଆଡକୁ ଯିବା ବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି। ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଚଞ୍ଚକତା ପ୍ରତିବାଦରେ ଆଗକୁ ଗାଁ ଗାଁରେ କରାଯିବ ଆନ୍ଦୋଳନ। ଦରକାର ପଡ଼ିଲେ ଦଲ୍ଲୀ ଦରବାରରେ ମଧ୍ୟ ଲଢ଼େଇକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ଦଳ।

ବର୍ଷେ ଧରି ଲୋକଙ୍କୁ ମିଛ କହି ଠକି ଚାଲିଛି ବିଜେପି। ଏବେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବାରୁ କଡା ନିନ୍ଦା କରିଛି ବିଜେଡି। ଶାସନକୁ ଆସିବା ବର୍ଷେ ହେଲାଣି, କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା। ବିଜେପି ସରକାରର ମିଛକୁ ଘରେ ଘରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ।