ବର୍ଷାଙ୍କ ପରେ ଦୀପାଳି, ମହିଳାଙ୍କୁ ସମ୍ମାନ ଦେବା ଶିଖିନି ବିଜେପି: ବିଜେଡି

ଭୁବନେଶ୍ବର: ନିର୍ବାଚନ ଆସିଲେ ବଦଳି ଯାଉଛି ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଆଚରଣ ଓ ଉଚ୍ଚାରଣ । ମହିଳାଙ୍କୁ ସମ୍ମାନ ଦେବେ କ’ଣ, ମତିଭ୍ରମ ହେବା ଭଳି ମନ୍ତବ୍ୟ ଦେଇ କରୁଛନ୍ତି ଅପମାନ । ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜେପିର ବରିଷ୍ଠ ନେତା ଯେଉଁଭଳି ଅପମାନ କରିଥିଲେ ତାହା ସାରା ଓଡ଼ିଶା ଦେଖିଥିଲା । ପଦମପୁରବାସୀ ବି ଏହାର ଜବାବ ଭୋଟରେ ଦେଇଥିଲେ । ଏବେ ଆସିଛି ଝାରସୁଗୁଡ଼ା ଉପନିର୍ବାଚନ । ଏଥର ବିଜେପିର ବରିଷ୍ଠ ନେତାଙ୍କ ଟାର୍ଗେଟରେ ଆଉ ଜଣେ ମହିଳା । ଆଉ ସେ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେପିକୁ କଡ଼ା ସମାଲୋଚନା କରିବା ସହ କହିଛନ୍ତି, ‘ବିଜେପିର ଆଚରଣ ଓ ଉଚ୍ଚାରଣରେ ଆସିଛି ପରିବର୍ତ୍ତନ । ଓଡ଼ିଶାରେ ମହିଳାଙ୍କୁ ସମ୍ମାନ ଦିଆଯାଏ । ହେଲେ, ବିଜେପି ମହିଳାଙ୍କୁ ସମ୍ମାନ ଦେବା ଶିଖିନି ।’

ସେ କହିଛନ୍ତି, ‘ପଦମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିରୋଧରେ ବିଜେପି ନେତୃବୃନ୍ଦ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିଥିଲେ । ରାଜନୈତିକ ସ୍ତରରେ ଆକ୍ଷେପ ନକରି ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ବିଶେଷ କରି ବିଜେପିର ବରିଷ୍ଠ ନେତା ଜୟନାରାଣ ମିଶ୍ର ଏବଂ ପ୍ରଦୀପ ପୁରୋହୀତ ଝିଅ ବୟସର ବର୍ଷାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଇଥିଲେ, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରି ନଥିଲେ । ଏହା ଓଡ଼ିଶା ପରମ୍ପରା ଓ ସଂସ୍କୃତିରେ ଗ୍ରହଣୀୟ ନୁହେଁ ।’

ଆଗକୁ ସେ କହିଥିଲେ, ‘ଏବେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଯାଉଛି । ଦୀପାଳି ଦାସ ଆମ ପ୍ରାର୍ଥୀ ହୋଇଛନ୍ତି । ପଦମପୁର ଭଳି ଏବେ ବି ବିଜେପିର ବରିଷ୍ଠ ନେତାଙ୍କ ଆଚରଣ ପଦଳି ଯାଇଛି । ବିଜେପିର ବରିଷ୍ଠ ନେତା ବର୍ଷାଙ୍କ ପରି ଦୀପାଳିଙ୍କୁ ଅପବାଦ ଦେବାକୁ ଚେଷ୍ଟା କରୁଛନ୍ତି ।’

ବରିଷ୍ଠ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଶ୍ରୀମୟୀ ପ୍ରଶ୍ନ କରିଥିଲେ, ‘ଆପଣଙ୍କ ଘରେ ବି ଝିଅ, ଭଉଣୀ ଓ ମାଆ ଅଛନ୍ତି । ଆପଣଙ୍କ ଘରର ମହିଳାଙ୍କୁ କେହି ଏମିତି ଅପବାଦ ଦେଲେ, ଆପଣ ସହ୍ୟ କରିପାରିବେ ତ ?

ଶ୍ରୀମୟୀ କହିଥିଲେ, ‘ବିଡମ୍ବନାର ବିଷୟ, ରାଜ୍ୟ ବିଜେପିର ବରିଷ୍ଠ ନେତା ମହିଳାଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି । ଓଡ଼ିଶାରେ ମହିଳାଙ୍କୁ ପ୍ରତି ଏମିତି ବ୍ୟବହାର ଗ୍ରହଣୀୟ ନୁହେଁ । ଯଦି ମାଆମାନଙ୍କୁ ସମ୍ମାନ ଦେଇ ଜାଣିନାହଁ, ବଦମାନ କରନି । ଏମିତି କିଛି କଥା କୁହନ୍ତୁ ନାହିଁ କି ମିଛ ପ୍ରଚାର କରନ୍ତୁ ନାହିଁ, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ କି କ୍ଷମା ଦେବେନି ।’