ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ
1 min read
ଭୁବନେଶ୍ବର: ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ। ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ଯ ବିଜେପି କୋଳାଇ ନେଉଛି। ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା। ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା। ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି -୨୦୧୯ରେ ଯେଉଁ ନେତାମାନଙ୍କୁ ଟିକେଟ ଦେବାର ସମ୍ଭାବନା ନଥିଲା ବା ଟିକେଟ ଦେବା ସମ୍ଭାବନା କ୍ଷୀଣ ଥିଲା , ଯେଉଁମାନଙ୍କୁ ଦଳରୁ ବାହାର କରିଦିଆଯାଇଥିଲା ଏବଂ ଯେଉଁମାନେ ବିଜେଡିରେ ନିଜର ଭବିଷ୍ଯତ ଦେଖିପାରୁ ନଥିଲେ ସେମାନଙ୍କୁ ରାଜ୍ଯ ବିଜେପି କୋଳେଇ ନେଇଥିଲା।
ମାତ୍ର ଫଳାଫଳ କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି। ୨୦୨୪ ପୂର୍ବରୁ ବିଜେପିରେ ଦେଖାଯାଇଛି ୨୦୧୯ ଫର୍ମୂଲା। ଯେଉଁମାନେ ଜଘନ୍ଯ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ , ଯେଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ତଡା ଖାଇଥିଲେ, ଯେଉଁମାନେ ବିଜେଡିରୁ ଟିକେଟ ପାଇବେନି ବୋଲି ନିଶ୍ଚିତ ହୋଇଥିଲେ ସେମାନେ ରାଜ୍ଯ ବିଜେପିରେ ସାମିଲ ହେଉଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ଓଡ଼ିଶା ବିଜେପି ଆହୁରି ନୈରାଶ୍ଯଜନକ ପ୍ରଦର୍ଶନ କରିବାକୁ ଯାଉଛି। ଯେଉଁମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ସେମାନଙ୍କୁ ରାଜ୍ଯବାସୀ ଗ୍ରହଣ କରିବେ ନାହିଁ। ୨୦୧୯ରେ ଏଭଳି ନେତାଙ୍କୁ ରାଜ୍ଯବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ଯବାସୀ ଜବାବ ଦେବେ ବୋଲି ସେ କହିଛନ୍ତି।