ଡାହା ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ !

1 min read

ଭୁବନେଶ୍ବର: ବର୍ଷ ବର୍ଷ ଧରି ନିର୍ମାଣ ଚାଲିଛି ୫୫ନମ୍ବର ଜାତୀୟ ରାଜପଥ, ହେଲେ କାମ ସରୁନି। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଏ ପ୍ରସଙ୍ଗରେ ଚୁପ ରହୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି। ସେପଟେ ଅମର୍ଦ୍ଦା ଏୟାର ଷ୍ଟ୍ରିପ ନେଇ ଡାହା ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ନେଇ ମିଛ ନକହି ପ୍ରଶଂସା କରିବା ଦରକାର ବୋଲି ବିଜେଡି କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଦ୍ରୁତ ବିକାଶ ହୋଇଚାଲିଛି । ପର୍ଯ୍ୟଟନଠାରୁ ଶିଳ୍ପାୟନ ପର୍ଯ୍ୟନ୍ତ ସବୁଥିରେ ଓଡ଼ିଶା ଏବେ ଆଗରେ ବୋଲି କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ସାହୁ।

ଡାହା ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ! ବିଶ୍ବେଶ୍ବରଙ୍କୁ ଘେରିଲେ ରାଜକିଶୋର। ଏୟାର ଷ୍ଟ୍ରିପ ନେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ କରନ୍ତୁ ପ୍ରଶଂସା। ଜାତୀୟ ରାଜପଥ ୫୫କୁ ନେଇ ପ୍ରଶ୍ନ ପଚାରିଲେ ଶଶୀ। ବର୍ଷ ପରେ ବର୍ଷ  ବିତିଚାଲିଛି । ହେଲେ ଦୂର ହୋଇପାରୁନି ଦୁର୍ଦ୍ଦଶା। କଟକ-ସମ୍ବଲପୁର ଜାତୀୟ ରାଜପଥର ଦୂରାବସ୍ଥା ଯୋଗୁଁ ଅକାଳରେ ଗଲାଣି ୪ଶହରୁ ଅଧିକ ଜୀବନ। ତଥାପି ନିଦାବିଷ୍ଣୁ ସାଜିଛନ୍ତି କେନ୍ଦ୍ର ସରକାର। କାହିଁକି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏପ୍ରସଙ୍ଗରେ ଚୁପ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା।

କଟକରୁ ସମ୍ବଲପୁର ଯାଏଁ ୩ଶହ କିଲୋମିଟରରୁ ଅଧିକ ରାସ୍ତା ଦେଇ ଏହି ଜାତୀୟ ରାଜପଥ ଯାଇଛି । ରାସ୍ତା ଲୋକଙ୍କ ଲାଇଫଲାଇନ୍ ତ ହୋଇ ପାରିଲାନି, ହେଲେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ଜୀବନ। ୯ବର୍ଷ ହେଲା କାମ ଚାଲିଛି, ନିର୍ମାଣକାରୀ ସଂସ୍ଥା ବି ବଦଳୁଛନ୍ତି। ହେଲେ କାମ କେବେ ସରିବ, ତାର ନିର୍ଦ୍ଦିଷ୍ଟ ଉତ୍ତର କେନ୍ଦ୍ର ପାଖରେ ନାହିଁ। ଏହାସହ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ଅଣଦେଖାର ଉଦାହରଣ ଦେଇ ଜବାବ ମାଗିଛି ବିଜେଡି।

ସେପଟେ ଅମର୍ଦ୍ଦା ଏୟାର ଷ୍ଟ୍ରିପ ସତ କଣ, ତାହା ନଜାଣି କେନ୍ଦ୍ରମନ୍ତ୍ରୀ ଡାହାମିଛ କହୁଛନ୍ତି ବୋଲି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନୂଆ ଓଡିଶା, ସଶକ୍ତ ଓଡ଼ିଶା ନିର୍ମାଣ ଚାଲିଛି। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ମନ୍ତ୍ରୀ ହେବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏୟାର ଷ୍ଟ୍ରିପ ପାଇଁ ବହୁତ ଉଦ୍ୟମ କରିଛନ୍ତି । ଏବେ ଏହା ଉଡ଼ାଣ ଯୋଜନାରେ ସାମିଲ ହେବାକୁ ଯାଉଛି। ତେଣୁ କେନ୍ଦ୍ରମନ୍ତ୍ରୀ ଏ ପ୍ରସଙ୍ଗରେ ମିଛ ଅପପ୍ରଚାର ନକରି ବରଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡିର ମୋରାଡ଼ା ବିଧାୟକ।

୫୫ନମ୍ବର ଜାତୀୟ ରାଜପଥ, ଧାନର ଏମଏସପି ବୃଦ୍ଧି ପରି ଅନେକ ପ୍ରସଙ୍ଗରେ କେନ୍ଦ୍ର ବାରମ୍ବାର ଓଡ଼ିଶା ପ୍ରତି ଅବହେଳା କରିଆସୁଥିଲେ ମଧ୍ୟ ଏଥିପ୍ରତି କେନ୍ଦ୍ରମନ୍ତ୍ରୀଙ୍କର କାହିଁକି ନିଘା ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି।