ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି, ରାଜ୍ୟ ବିକାଶ ଦେଖି ହେଉଛନ୍ତି ଇର୍ଷାପରାୟଣ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରିଥିଲେ ଅପରାଜିତା । କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିଥିଲେ । ଏଥିପାଇଁ ନା ଲଜ୍ଜିତ ହୋଇଛନ୍ତି ନା କ୍ଷମା ମାଗିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।