ଓଡିଶା ମାଟିରୁ ଆରମ୍ଭ ହୋଇଛି ମହିଳା ସଂରକ୍ଷଣ ପ୍ରକ୍ରିୟା, ସର୍ବଦଳୀୟ ବୈଠକରେ ବିଜେଡିର ଦାବି

ଭୁବନେଶ୍ବର: ମହିଳାଙ୍କୁ ସଂସଦ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡିଶା ମାଟିରୁ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଛନ୍ତି । ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ ।

ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ଏହି ସଂକଳ୍ପ ଆଧାରରେ ବିଜେଡିର ଏକ ପ୍ରତିନିଧି ଦଳ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟ ଗସ୍ତ କରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତକରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।

କେବଳ କଥାରେ କଥାରେ ଏହାକୁ ନରଖି ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ ।

ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା । ବିଜୁ ଜନତା ଦଳ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଛନ୍ତି । ସଂସଦର ଅଧିବେଶନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବିଜୁ ଜନତାଦଳର ସାଂସଦମାନେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ଆଗତ କରିବା ଲାଗି ଦାବି ଦୋହରାଇଛନ୍ତି ।