ଦଳ ବିରୋଧୀଙ୍କ ବିରୋଧରେ ଆକ୍ସନ, ୭ ନେତାଙ୍କୁ ନିଲମ୍ବନ କଲା ବିଜେଡି

ମୟୂରଭଞ୍ଜ: ରାଜ୍ୟରେ ପୌର ନିର୍ବାଚନ ପାଇଁ ସରଗରମ ହେବାରେ ଳାଗିଛି ରାଜନୀତି । ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨ ଦିନ ସମୟ ରହିଥିବାରୁ ଜୋରଦାର ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ତେବେ ଏହାରି ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀଙ୍କ ଉପରେ ଲଗାତାର ଭାବରେ ଆକ୍ସନ ନେଉଛି ବିଜୁ ଜନତା ଦଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଆଉ ୭ ଜଣଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ । ଏହି ସମସ୍ତ ୭ ଜଣଙ୍କୁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଏହି ୭ ଜଣଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ।

ନିଲମ୍ବିତ ହୋଇଥିବା ୭ ଜଣଙ୍କ ମଧ୍ୟରେ ରହିଛନ୍ତି ବାରିପଦା ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ଦେବାଶିଷ ଦାସ ଓ ସଞ୍ଜିତା ବିଶ୍ୱାଳ । ଏମାନଙ୍କ ବ୍ୟତୀତ ବିକାଶ ବାରିକ, ଜଗବନ୍ଧୁ ମୁଖୀ, ମନୋରଞ୍ଜନ ମୁଖୀ, ବିଶ୍ୱଜିତ ସେଠୀ, ବିବେକ ସେଠୀଙ୍କୁ ମଧ୍ୟ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ।