୭୯ ବର୍ଷରେ ପାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର : ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ୭୮ ତମ ଜନ୍ମଦିବସ । ୭୮ ବର୍ଷ ପୂରି ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଆଜି ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ । ସାରା ରାଜ୍ଯରେ ଆୟୋଜନ ହେଉଛି ରକ୍ତଦାନ ଶିବିର । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପରିବାରର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ବିଜୁ  ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ ।

୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି ।  ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ ।

ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି  । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ  । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ଯ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛି ।