ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ ନବୀନଙ୍କ ନିବେଦନ

1 min read

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜୁ ଜନତା ଦଳ  । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଛି  । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବ୍ୟକ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିସିକ୍ତ ହେବାକୁ ଯାଉଛନ୍ତି  । ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୁର୍ନ ସମର୍ଥନ କରିବା ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସ୍ୱତେ ସମର୍ଥନ ନେଇ ଘୋଷଣା କରିଛନ୍ତି  । ଏବଂ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବା ନେଇ ନିବେଦନ କରିଛନ୍ତି  ।  ଓଡିଶା ପାଇଁ ଗୌରବାନିତ ମୂହୂର୍ତ୍ତ, ଆମ ମାଟିର ଝିଅ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି  । ଏକଜାତୀୟ ରାଜନୀତିକ ମେଣ୍ଟ ପ୍ରାର୍ଥୀ ଘୋଷଣା କରିଥିବାବେଳେ ମାଟିର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି ନବୀନ  ।  ଦଳମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ସମସ୍ତ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନେଇ ସବୁଜ ସଙ୍କେତ ଦେଇଛି ଏନଡିଏ ସଂସଦୀୟ ବୋର୍ଡର ବୈଠକ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି କିଛି ଦିନ ଧରି ଚାଲିଥିଲା ବିଚାର ବିମର୍ଷ । ଏନେଇ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବରିଷ୍ଠ ସାଂସଦମାନେ ଯୋଗ ଦେଇଥିଲେ ।

ଅନ୍ୟପଟେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଆନନ୍ଦପ୍ରକଟ କରିଥିଲେ  । ଜମେ ଓଡିଆ ଝିଅଙ୍କୁ ଗୁରୁ ଦାୟିତ୍ୱ ଏବଂ ସର୍ବୋଚ୍ଚ ଆସନ ମିଳିବାକୁ ଯାଉଥିବାରୁ ଗୌରବମୟ ବିଷୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  । ପ୍ରାର୍ଥୀ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ରୌପଦୀଙ୍କ ନାମକୁ ନେଇ ଆଲୋଚନା କରିଥିବା ମଧ୍ୟ ପ୍ରକାଶ କରିଥିଲେ ନବୀନ ପଟ୍ଟନାୟକ  । ତେବେ ଏଭଳି ଏକ ସୁବର୍ଣ୍ଣ ସମୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି  ।