ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ

ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ନବୀନ ବୈଠକକୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଏନେଇ ସ୍ଵତନ୍ତ୍ର ବୈଠକ ବସିବ ।

ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ୟ ଏଥିରେ ସାମିଲ୍ ହେବେ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ଡିଏମକେ ସାଂସଦ ଦୟାନିଧି ମାରନ୍ ଏବଂ ଆଇଟି ମନ୍ତ୍ରୀ ନବୀନ ନିବାସରେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହି ଅସରରେ ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି । ଏହାସହ ନବୀନ କହିଛନ୍ତି, ଅନୈତିକ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ । ଏହାସହ ସେ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଦୟାନିଧି ମାରନ କହିଛନ୍ତି ।

୨୦୨୬ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତାର ସହ ଏହା କରିବାକୁ ଚାହୁଁ ନାହାନ୍ତି । ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ଯ ଆଲୋଚନା କରିବେ । ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବ । ଆନୁପାତିକ ଭାବେ ସାଂସଦ ଏବଂ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ପାଇବା କଥା ତାହା ହେବ ନାହିଁ । ଓଡ଼ିଶାର ବାସ୍ତବରେ କ’ଣ କ୍ଷତି ହେବ ସେ ନେଇ ଭୁବନେଶ୍ଵରରେ ଖୁବ୍ ଶୀଘ୍ର ଏକ ବୈଠକ ବସିବ । ଏ ନେଇ ବ୍ୟାପକ ଆଲୋଚନା ହେବ ବୋଲି ବିଜେଡି ନେତା ବୈଠକ ପରେ ସୂଚନା ଦେଇଛନ୍ତି । ଏହାଦ୍ବାରା ଯେଉଁ କ୍ଷତି ହେବ ବିଶେଷ କରି ତାକୁ ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।