ଆଇନଶୃଙ୍ଖଳା ପରିସ୍ଥିତି ନେଇ ଭୁଲ ବାର୍ତ୍ତା ଦେବାକୁ ବିଜେପିର ଚକ୍ରାନ୍ତ: ବିଜେପି କର୍ମୀ କଲେ ବୋମାମାଡ଼

1 min read

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।  ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ୟକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ୟକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ  ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।

Leave a Reply