ଓଡ଼ିଶାର ଆଦିବାସୀଙ୍କୁ ‘ଆବାସ’ ଘର ନଦେବାକୁ ବିଜେପି କରୁଛି ଷଡ଼ଯନ୍ତ୍ର: ବିଜେଡି

BJD Spokesperson Lenin Mohanty On PMAY To Tribal Of Odisha

ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି, ଓଡ଼ିଶାର ୬ ଲକ୍ଷ ପରିବାର ବିରୋଧରେ ଏହି ଷଡ଼ଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପିଏମ୍‍ଏୱାଇ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ୍‍ଏୱାଇ ଯୋଜନାର ଆୱାସ ପ୍ଲସ୍ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ । କାରଣ ୬ ମାସ ହେଲା ଓଡ଼ିଶା ବିଜେପିର ଷଡ଼ଯନ୍ତ୍ର ଯୋଗୁଁ କେନ୍ଦ୍ର ଦ୍ୱାରା ଆୱାସ ପ୍ଲସ ପୋର୍ଟାଲ ଖୋଲା ହେଲା ନାହିଁ କି ଓଡ଼ିଶାର ଲୋକଙ୍କୁ ୬ ଲକ୍ଷ ଘର ଯୋଗାଇ ଦିଆଗଲା ନାହିଁ । ଓଡ଼ିଶା ବିଜେପିର ଏହି ଓଡ଼ିଶା ବିରୋଧୀ, କେବିକେ ଅଞ୍ଚଳ ବିରୋଧୀ, ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରିଛି ।

ଓଡ଼ିଶାର ଜନଜାତି ବିଶେଷକରି କେବିକେ ଅଞ୍ଚଳ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଲୋକମାନେ ରାଜ୍ୟ ବିଜେପି ତଥା ଓଡ଼ିଶା ବିଜେପିର ସାଂସଦମାନଙ୍କୁ ପିଏମଏୱାଇ ଯୋଜନା ଅଧୀନରେ ଥିବା ୬ ଲକ୍ଷ ଘର ପାଇବାରୁ ସେମାନଙ୍କୁ ବଞ୍ଚିତ କରିଥିବାରୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

Leave a Reply