‘ନିଜେ ହିଂସାର ତାଣ୍ଡବ ସୃଷ୍ଟି କରି ଏବେ ପାଲଟା ଅଭିଯୋଗରେ ବ୍ୟସ୍ତ ବିଜେପି’

BJD Spokesperson Lenin Mohanty Counter To BJP Over Municipal Elections

ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି । ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି । ତାହା ହାସ୍ୟାସ୍ପଦ ଏବଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି । ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପିପିଲି ଠାରୁ ନେଇ ଧାମନଗର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା ।

ଓଡ଼ିଶା ବିଜେପିର ପ୍ରରୋଚନାରେ ଯୋଜନାବଦ୍ଧ ଭାବେ ବିଜେଡି କର୍ମୀଙ୍କ ଠାରୁ ନେଇ ପୋଲିସ, ସାମ୍ବାଦିକ, ସରକାରୀ ଅଫିସର ଏବଂ ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରାଯାଇଥିଲା । ଏପରିକି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବିଜେଡି କର୍ମୀଙ୍କୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ ।

ସେତେବେଳେ ଏ ବାବଦରେ ବିଜେଡି ପକ୍ଷରୁ ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହିଭଳି ହିଂସାକାଣ୍ଡ ପାଇଁ ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ପୌର ନିର୍ବାଚନରେ ବଡ଼ ପରାଜୟ ଆଶଙ୍କାରେ ନିଜର ସ୍ଥିତି ରକ୍ଷା ପାଇଁ ଓଡ଼ିଶା ବିଜେପି ବିଭିନ୍ନ ଆଳ ଖୋଜୁଛି ଏବଂ ହତାଶ ହୋଇ ବିଜେଡି ବିରୋଧରେ ନାନା ଅମୂଳକ ଅଭିଯୋଗ କରୁଥିବା କହିଛନ୍ତି ଲେନିନ୍ ମହାନ୍ତି ।