ଯିଏ ବିଜେପି ସଭାପତିଙ୍କୁ ଆକ୍ରମଣ କରିଥିଲେ, ସେ ଏବେ ପଦବୀରେ..

ଭୁବନେଶ୍ୱର: କେବଳ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ନୁହନ୍ତି, ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ଉଭୟ ହତ୍ୟା ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇ ଜାମିନରେ ଅଛନ୍ତି । ଉଭୟଙ୍କ ଆକ୍ରମଣରେ ଖୋଦ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଲହୁଲୁହାଣ ହୋଇଥିଲେ । ତଥାପି ଜଣଙ୍କୁ ବିରୋଧୀଦଳ ନେତା ଓ ଅନ୍ୟ ଜଣଙ୍କୁ ଯୁବମୋର୍ଚ୍ଚାର ସଭାପତି ଭଳି ଗୁରୁଦାୟିତ୍ବ ଦେଇଛି ରାଜ୍ୟ ବିଜେପି । ଯାହାକୁ ନେଇ ବିଜେପିକୁ ସମାଲୋଚନା କରିଛି ବିଜେଡି ।

ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଜାମିନରେ ଆସି ପୁଣି ଆଇନକୁ ହାତକୁ ନେଇ ଜଣେ ମହିଳା ତଥା କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ଜୟନାରାୟଣ । ଏଭଳି ଆଚରଣ କରି ସେ କୋର୍ଟଙ୍କୁ ମଧ୍ୟ ଅବମାନନା କରିଛନ୍ତି । ଏଭଳି ଅପରାଧୀଙ୍କୁ ଦଳୀୟ ଦାୟିତ୍ବ କାମ କିପରି ଦିଆଯାଇଛି ବୋଲି ଦେବୀରଞ୍ଜନ ପ୍ରଶ୍ନ କରିଛନ୍ତି । ଉଭୟ ଜୟନାରାୟଣ ଓ ଇରାଶିଷଙ୍କ ଇତିହାସ ହେଉଛି ଅପରାଧ ପ୍ରବଣ । ନାରୀଙ୍କୁ ଅପମାନ ଦେଉଥିବା ବ୍ୟକ୍ତିଙ୍କୁ ଆମ ସମାଜ ଗ୍ରହଣ କରିବନି ।

ଏହା ବିରୋଧରେ ବିଜେଡି ରାଜ୍ୟ ସଭାପତି ସମୀର ମହାନ୍ତି କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାକୁ ଅପେକ୍ଷା ବୋଲି ବିଜେଡି କହିଛି । ବିଜେଡି ମୁଖପାତ୍ର ଚିନ୍ମୟ ମହାପାତ୍ର ମଧ୍ୟ ଜୟନାରାୟଣ ଓ ଇରାଶିଷଙ୍କୁ ଗୁରୁତ୍ବ ଦେବା ନେଇ ବିଜେପିକୁ ସମାଲୋଚନା କରିଛନ୍ତି ।