ବିଜେଡିରେ ନାହାନ୍ତି ଚିଲିକା ବିଧାୟକ, ବିଜେପି ରାଜନୀତି ବନ୍ଦ କରୁ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ  । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର  । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି  । ତେଣୁ ଏହା ମଧ୍ୟରେ କୌଣସି ସଂକୋଚ ନାହିଁ  ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର  ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଅକୃତକାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ  । ପୋଲିସ ଆଇନ ଅନୁଯାୟୀ ଦଣ୍ଡବିଧାନ କରୁ  । ବିଜୁ ଜନତା ଚାହୁଁଛି ଯିଏ ଅଭିଯୁକ୍ତ ସେ ଆଇନ ଅନୁଯାୟୀ ଦଣ୍ଡିତ ହୁଅନ୍ତୁ  । ଏଭଳି ଏକ ସ୍ପର୍ଷକାତର ପ୍ରସଙ୍ଗରେ ରାଜନୀତିକରଣ କରିବା ସଠିକ ନୁହେଁ  । ବିଜେପି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାକୁ ପ୍ରତ୍ୟାକ୍ଷାନ କଲେ ସସ୍ମିତ  । ସେ କହିଛନ୍ତି ଏହି ପ୍ରସଙ୍ଗକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ  । ଆମେ ମଧ୍ୟ ଚାହୁଁଛୁ ସମସ୍ତ ଦଳ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରନ୍ତୁ  ।

ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏପରି ଘଟଣା ଘଟିଥିଲା  । ସେତେବେଳେ ଓଡିଶା ବିଜେପିର ନେତା କହିଥିଲେ ଉକ୍ତ ପ୍ରସଙ୍ଗରେ ରାଜନୀତିକରଣ ଠିକ ନୁହେଁ  । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ  । ଯଦି ସମାନ ଘଟଣା ବାଣପୁରରେ ଘଟିଛି, ତେବେ ଭାରତୀୟ ଜନତା ପାର୍ଟ୍ଟର ନେତା କିପରି ରାଜନୀତିକରଣ କରୁଛନ୍ତି ? ବିଜେପି ଡବଲ ଷ୍ଟାଣ୍ଡାର୍ଡ ନୀତି ନଆପଣାଉ ବୋଲି କହିଛନ୍ତି ସସ୍ମିତ ପାତ୍ର  । ଯଥା ସମ୍ଭବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି ଜଣାଉଛୁ, ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟୀକରଣ ରଖିଛି  । ତେଣୁ ଉକ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସସ୍ମିତ ପାତ୍ର  ।