ଜୟନାରାୟଣଙ୍କ ମନ୍ତବ୍ୟକୁ ସବୁଠି ନିନ୍ଦା, ବିଜେଡି କହିଲା ମାନସିକ ସ୍ଥିତି ଠିକ୍ ନାହିଁ

ଭୁବନେଶ୍ୱର: ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜନୀତି କରୁଛି ବିଜେପି । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେପି ନେତାଙ୍କ ହୀନ ମନ୍ତବ୍ୟକୁ ଘୃଣା କରିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ  ।  ଆଜି ସ୍ୱର୍ଗତ ନବ କିଶୋର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡାରେ ଆୟୋଜିତ ହୋଇଥିଲା  । ମୃତ ବ୍ୟକ୍ତିଙ୍କ ଭଲ କାମକୁ ମନେ ପକାଇ ଦ୍ୱାଦଶରେ ସଭିଏଁ କାମନା କରିଥାନ୍ତି  । କିନ୍ତୁ ବିଜେପିର ଜଣେ ବରିଷ୍ଠ ନେତା ନିଜର ଘୃଣ୍ୟ ମାନସିକତାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି  । ନିଜର ମାନସିକ ଭାରସମ୍ୟ ହରାଇ ବସିଛନ୍ତି ଜୟ ନାରାୟଣ ମିଶ୍ର  ।

ସେ ଜଣେ ଅଭ୍ୟାସଗତ ଅପରାଧୀ  । ତେଣୁ ସେଭଳି ଲୋକ ଆଜି ପର୍ଯ୍ୟନ୍ତ ସ୍ୱର୍ଗୀୟ ନବ କିଶୋର ଦାସଙ୍କୁ ନେଇ ଅରୁଚିକର ମନ୍ତବ୍ୟ ପ୍ରକାଶ କରି ଆସୁଛନ୍ତି  । ଏମିତିକି ଆଜି ଦଳ ଗତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଉଥିବାବେଳେ ମଧ୍ୟ ବିରୋଧି ଦଳ ନେତା ହୀନ ମନ୍ତବ୍ୟ ଦେବାକୁ ପଛାଇ ନାହାଁନ୍ତି  । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏନେଇ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟାକୁ ନିନ୍ଦା ପ୍ରକଟ କରିଛନ୍ତି  ।

ବିଜେପିର ନେତା ମାନେ ଜୟ ନାରାୟଣ ମିଶ୍ରଙ୍କ ମାନସିକ ଚିକିତ୍ସା କରାଇବା ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି  । ଜଣେ ବରିଷ୍ଠ ନେତା ଏଭଳି ହୀନ ମନ୍ତବ୍ୟ ଦେବା ଘୃଣ୍ୟ ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ  । କେବଳ ବିଜେଡି ନୁହେଁ କଂଗ୍ରେସ ମଧ୍ୟ ବିରୋଧି ଦଳ ନେତାଙ୍କ ପ୍ରତିକ୍ରିୟାକୁ ନେଇ ନିନ୍ଦା କରିଛି  । ବରିଷ୍ଠ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ନବ ବାବୁ କୌଣସି ପଦ ପଦବୀର ଲାଳସାରେ ଲାଳାୟିତ ନଥିଲେ  । ତେଣୁ ତାଙ୍କୁ ନେଇ ବିଜେପି ଦେଉଥିବା ମନ୍ତବ୍ୟର କିଛି ମୂଲ୍ୟ ନାହିଁ  ।