ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ଘଟିବା ପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଛି ବିଜେଡି । ଓଡ଼ିଶାର ଶିକ୍ଷାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସବୁ କ୍ଷେତ୍ରରେ ଓଡ଼ିଶା ପୁରସ୍କୃତ ହେଉଥିବାବେଳେ ଶିକ୍ଷାରେ ପଛୁଆ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଓଡ଼ିଶାର ଶିକ୍ଷାକୁ ନିମ୍ନମାନର ଓ ଓଡ଼ିଶାକୁ ବଦନାମ କରିବାକୁ କେନ୍ଦ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଓଡ଼ିଶା ସରକାର ପ୍ରାୟ ୮ ହଜାର ହାଇସ୍କୁଲକୁ ରୂପାନ୍ତରିତ କରୁଛନ୍ତି । ଏହାଦ୍ବାରା ଉଚ୍ଚମାନର ଶିକ୍ଷା ପ୍ରଦାନ କରିଆସୁଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ।

ମୋ ସ୍କୁଲ ଅଭିଯାନ ଦେଶରେ ଅତୁଳନୀୟ । ଏଭଳି ସ୍ଥିତିରେ ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ । ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା ଓ ଓଡ଼ିଶାବାସୀଙ୍କୁ ବଦନାମ କରିବାକୁ କେନ୍ଦ୍ର ସୁଚିନ୍ତିତ ପ୍ରୟାସ କରିଥିବା ବିଜେଡି କହିଛି । ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି, ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବ ବିଦ୍ୟାଳୟର ମାତ୍ୟତାରେ ମଧ୍ୟ ହ୍ରାସ ପାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନରେ ଏଭଳି ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର । ପୂର୍ବରୁ ଗ୍ରାମୀଣ, ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟ ପରିଚାଳନା, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ପିଜିଆଇରେ ଓଡ଼ିଶାର ସଦ୍ୟତମ ରାଙ୍କକୁ ଗ୍ରହଣ କରାଯିବନି ।