ବିଶ୍ୱବିଦ୍ୟାଳୟ ଆଇନ ସଂସ୍କାର ପ୍ରସଙ୍ଗ: ବିଜେପି ଆଭିମୁଖ୍ୟ ଛାତ୍ର ସ୍ୱାର୍ଥ ବିରୋଧୀ

ଭୁବନେଶ୍ୱର : ରାଜ୍ୟ ସରକାର ଦୁଇ ଦିନ ତଳେ ବିଶ୍ୱବିଦ୍ୟାଳୟ ଆଇନରେ ସଂସ୍କାର ଆଣିଛନ୍ତି । ଏହି ସଂସ୍କାରକୁ ରାଜ୍ୟ ବିଜେପି ସମାଲୋଚନା କରିଛି । ବିଜେପିର ଏହି ସମାଲୋଚନାର ଜବାବ ରଖିଛି ସରକାରୀ ଦଳ । ବିଜୁ ଜନତା ଦଳ ବିଜେପିର ଏଭଳି ଆଭିମୁଖ୍ୟକୁ ଛାତ୍ରସ୍ୱାର୍ଥ ବିରୋଧୀ ବୋଲି କହିବା ସହ ରାଜ୍ୟର ବିକାଶରେ ପ୍ରତିବନ୍ଧକ ବୋଲି କହିଛି । ରାଜ୍ୟ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ କ୍ୟାବିନେଟ୍ ମଞ୍ଜୁରୀ କ୍ରମେ ବିଶ୍ୱବିଦ୍ୟାଳୟର ପରିଚାଳନା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ପରିବର୍ତ୍ତନ ଆଣିଲେ । ଏହି ସଂସ୍କାର ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାର ମାନ ବଢାଇବା ସହ ଅନୁସନ୍ଧାନ କ୍ଷେତ୍ରରେ ବ୍ୟାପକ ଭାବେ ସହାୟକ ହେବ ।

ସେହିଭଳି ରାଜ୍ୟର ବିଶ୍ୱବିଦ୍ୟାଳୟ ସ୍ତରର ପରିଚାଳନା ଏକ ସିଣ୍ଡିକେଟ୍ ପଦ୍ଧତିରେ ପରିଚାଳିତ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଭଳି ପଦକ୍ଷେପ ସପକ୍ଷରେ ସାରା ଦେଶରେ ଶିକ୍ଷାବିତମାନେ ମଧ୍ୟ ମତପୋଷଣ କରନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକର ଆର୍ଥିକ ବ୍ୟାପାର ସମ୍ୱନ୍ଧିତ ତଥ୍ୟକୁ ପୂର୍ବରୁ ମଧ୍ୟ ବିଧାନସଭାରେ ଉପସ୍ଥାପନା କରାଯାଉଥିଲା; ମାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଖରେ ଏହି ତଥ୍ୟା ପହଞ୍ଚିବା ସହଜସାଧ୍ୟ ହେଉନଥିଲା । ଏବେ ସରକାରଙ୍କର ନୂଆ ନିୟମ ପରେ ପରିଚାଳନା ଜନିତ ସ୍ୱଛତା ସାମ୍ନାକୁ ଆସିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିର୍ଭୁଲ ଓ ବାସ୍ତବ ତଥ୍ୟ ପାଇପାରିବେ । ଏଭଳି ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପରିଚାଳକଙ୍କର ବିଶ୍ୱସନୀୟତା ସାଧାରଣରେ ବଢିବ । ବୋଧହୁଏ, ପ୍ରମୁଖ ବିରୋଧୀ ଦଳ ବିଜେପି ସରକାରଙ୍କ ବିଶ୍ୱବିଦ୍ୟାଳୟଜନିତ ସଂଶୋଧନକୁ ଠିକ୍ ଭାବେ ପଢ଼ିନାହିଁ । କେବଳ ବିରୋଧ କରିବା ଆଳରେ ତର୍କହୀନ ଯୁକ୍ତି କରୁଛି ।

ସେହିଭଳି ରାଜ୍ୟ ବିଜେଡି ବିଜେପିର ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛି । ବିଜେଡିର କହିବା କଥା ଯେ, ଭାରତୀୟ ସମ୍ୱିଧାନର ୨୪୬ ଧାରାର ଭାଗ ୭ ଅନୁଯାୟୀ ଉଚ୍ଚ ଶିକ୍ଷା ସମବାୟ ଦାୟିତ୍ୱ ଶ୍ରେଣୀରେ ଆସେ । ଅର୍ଥାତ୍ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ସମ୍ୱନ୍ଧିତ ନିଷ୍ପତ୍ତି ନେଇପାରିବେ, ଆଇନ କରିପାରିବେ । ରାଜ୍ୟ ସରକାର ନିଜ ସୀମା ମଧ୍ୟରେ ରହି ହିଁ ଏଭଳି ସଂଶୋଧନ କରିଛନ୍ତି । ମାତ୍ର ରାଜ୍ୟ ବିଜେପି ହାସ୍ୟାସ୍ପଦ ମନ୍ତବ୍ୟ ରଖି କହିଛି ଯେ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ସମ୍ୱନ୍ଧିତ ନିଷ୍ପତ୍ତି ନେଇ ପାରିବେ ନାହିଁ  । ଯାହା ଅତ୍ୟନ୍ତ ଦାୟିତ୍ୱହୀନ ଅଟେ । ଏପରିକି କେନ୍ଦ୍ର ଶାସିତ ବିଜେପି ନେତାମାନେ ମଧ୍ୟ ରାଜ୍ୟ ବିଜେପିର ଏଭଳି ମନ୍ତବ୍ୟ ଶୁଣି ଆଶ୍ଚର୍ଯ୍ୟଚକିତ ହେବେ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପିର ଆଭିମୁଖ୍ୟ ହିଁ ଉଚ୍ଚ ଶିକ୍ଷା ବିରୋଧୀ ବୋଲି ଦର୍ଶାଇ ରାଜ୍ୟ ବିଜେଡି କହିଛି ଯେ, ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଉଚ୍ଚ ଶିକ୍ଷା ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟର ଦକ୍ଷତାଗତ ମାନ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ତରକୁ ବଢାଇବାରେ ସହାୟକ ହେବ । ମାତ୍ର ଏସବୁ ନବୁଝି, ବିଜେପି ତର୍କହୀନ ଓ ଭିତ୍ତିହୀନ ବିରୋଧରେ ବ୍ୟସ୍ତ ଅଛି । ଶସ୍ତା ରାଜନୀତି କରି ରାଜ୍ୟର ବିକାଶରେ କଣ୍ଟା ସାଜୁଥିବା ବିଜେପି ନେତାଙ୍କୁ ରାଜ୍ୟବାସୀ ସଠିକ ଭାବେ ଚିହ୍ନିଛନ୍ତି । ଏଣୁ ବିଜେପି ଏଭଳି ବିକାଶ ବିରୋଧୀ ଆଭିମୁଖ୍ୟରୁ ବିରତ ରହୁ ବୋଲି ବିଜେଡି ପରାମର୍ଶ ଦେଇଛି ।

Leave a Reply