ଆମ୍ବ ଟାକୁଆ ଖାଇ ୨ ମୃତ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି

ଭୁବନେଶ୍ବର: ଆମ୍ବ ଟାକୁଆ ଖାଇ ୨ ମୃତ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ଏହାର ଅବ୍ୟବସ୍ଥା ନେଇ ସମ୍ବେଦନଶୀଳ ଘଟଣା ଘଟୁଛି । ଯୋଗାଣ ମନ୍ତ୍ରୀଙ୍କ ବିବୃତି ଆହୁରି ଦୁର୍ଭାଗ୍ୟ ଜନକ ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ  ।

ସେ କହିଛନ୍ତି ଯେ, ୨୦୨୨ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିବା ସମୟରେ ପିୟୁଷ ଗୋୟଲ କେନ୍ଦ୍ର ମନ୍ତ୍ରୀ ଥିଲେ । ଫୁଡ୍‌ ଇଣ୍ଡେକ୍ସ ରାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା । ଓଡିଶା ୦.୮୩୬ ପଏଣ୍ଟ ପାଇଥିଲା । ଖାଦ୍ୟ ଯୋଗାଣରୁ ନେଇ ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ପିୟୁଷ ଗୋୟଲ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ । ଜାତିସଙ୍ଘ ବି ଭୋକର ଓଡ଼ିଶାରରୁ ଖାଦ୍ୟ ପରିପୂର୍ଣ୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ।

ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ । ହେଲେ ନ ପହଞ୍ଚିବାରୁ ଆମ୍ବ ଟାକୁଆ ଖାଇଲେ । ଶସ୍ତା ମନ୍ତବ୍ୟ ନ ଦେବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା  ।  ପିଆଜ ଯୋଗାଣରେ ବି ଏପରି ଶସ୍ତା କଥା କହିଥିଲେ । ଓଡ଼ିଶାର ସୁନାମ ଏହି ଘଟଣା ପରେ ହଜିଛି । ବୋଧେ ଯୋଗାଣ ମନ୍ତ୍ରୀ ଗୋଵେଲସ ଥିଓରୀ ଦେଖାଉଛନ୍ତି । ସମ୍ବେଦନଶୀଳ ଘଟଣାରେ  ଯୋଗାଣ ମନ୍ତ୍ରୀ ବାସ୍ତବବାଦୀ ହୁଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା  ।