SHG ପୁନର୍ଗଠନକୁ ବିଜେଡିର ନିନ୍ଦା ; ଲକ୍ଷପତି ହୋଇଥିବା ଦିଦିଙ୍କୁ ସରକାର ଅପମାନ କରୁଛନ୍ତି

1 min read

ଭୁବନେଶ୍ବର : SHG ପୁନର୍ଗଠନ ନିଷ୍ପତ୍ତିକୁ ବିଜେଡିର କଡା ସମାଲୋଚନା । ରାଜନୈତିକ ଉଦ୍ଦେଶ୍ୟରେ ମହିଳାଙ୍କୁ ବ୍ୟବହାର କରିବାକୁ ବିଜେପି ଚାହୁଁଛି ବୋଲି ଅଭିଯୋଗ କରିଛି ବିଜେଡି । ସ୍ଵୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ। ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି-ଅର୍ଗାନାଇଜ କରାଯିବ। ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ସମୟ ରହିଛନ୍ତି, ସେମାନେ ଆଉ ରହିପାରିବେ ନାହିଁ। ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେଇପାରିବେ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ମହିଳାଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ତେବେ ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ରାଜନୈତିକ ଚକ୍ରାନ୍ତ ବୋଲି କହିଛି  ବିଜେଡି । SHG ପୁନର୍ଗଠନ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏବେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ମହିଳାଙ୍କୁ ବ୍ୟବହାର କରିବାକୁ ଚାହୁଁଛି । ଯେଉଁ ମହିଳା ଭଲ କାମ କରି ଲକ୍ଷପତି ଦିଦି ହୋଇଛନ୍ତି, ସେମାନଙ୍କୁ ଅପମାନ କରିବାକୁ ସରକାର ଚାହୁଁଛନ୍ତି । ନବୀନ ପଟ୍ଟନାୟକ SHG କରିଥିଲେ । ବିଜେପି ସରକାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ମହିଳାମାନେ ବୁଝିଲେଣି ଯେ ସେମାନଙ୍କୁ ଶୋଷଣ କରାଯାଉଛି ।