ଚାଷ ଓ ଚାଷୀଙ୍କ ପ୍ରତି ବିଜେପି ନେତାଙ୍କର ନାହିଁ ଦରଦ, ନିର୍ବାଚନୀ ଇସ୍ତାହାର ଏକ ଫମ୍ପା ଆବାଜ

1 min read

ଭୁବନେଶ୍ବର: ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ଏକ ଫମ୍ପା ଆବାଜ । ଚାଷ ଓ ଚାଷୀମାନଙ୍କ ପ୍ରତି ବିଜେପି ନେତାଙ୍କର ନାହିଁ ଟିକେ ବି ଦରଦ । ନିର୍ବାଚନ ବେଳେ ମିଛ କଥା କହି ଜୁମଲା କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶାରେ କେନ୍ଦ୍ରୀୟ ନେତା ମାଳ ମାଳ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଦଳୀୟ ନିର୍ବାଚନୀ ଇସ୍ତାହାରରେ କୃଷି ପାଇଁ କିଛି ନାହିଁ କି କୃଷକଙ୍କ ପାଇଁ କୌଣସି ଯୋଜନା ନାହିଁ । MSP ବାବଦରେ ବି ପଦୁଟିଏ ଲେଖା ନାହିଁ । ହେଲେ ଓଡ଼ିଶାରେ ତୁଚ୍ଛା ପ୍ରହସନ କରି, ମିଛ କହି, ଲୋକଙ୍କୁ ଠକିବା ପାଇଁ ବିଜେପି ପ୍ରୟାସ କରୁଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଏମିତି ବର୍ଷିଛି ବିଜେଡି ।

ବିଜେଡି ପକ୍ଷରୁ କୁହାଯାଇଛି, ନିର୍ବାଚନ ବେଳେ ବିଜେପିର କେନ୍ଦ୍ରୀୟ ନେତା ଟୁରିଷ୍ଟ ସାଜିଛନ୍ତି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ଯକ୍ଷଙ୍କ ସହ ଆସାମ, ଛତିଶଗଡ଼, ତ୍ରିପୁରା ମୁଖ୍ଯମନ୍ତ୍ରୀ ଗସ୍ତ କରିସାରିଲେଣି । ଆଗକୁ ବିଜେପିର ଆହୁରି ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବାକି ରହିଛି । ହେଲେ ଓଡ଼ିଶାବାସୀଙ୍କୁ ମିଛ କହି ଭୋଟ ହାତେଇବା ପାଇଁ ପ୍ରୟାସ କରୁଛି ବିଜେପି । ବିଜେପିର ଏହି ମିଛ ଧରା ପଡ଼ିଯାଇଛି ।

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବିଜେଡି ଉଠାଇଛି କୃଷି ଓ କୃଷକ ପ୍ରସଙ୍ଗ । ଯଦି ବିଜେପି ଚାଷୀମାନଙ୍କ ପ୍ରତି ଏତେ ଚିନ୍ତିତ, ତେବେ କାହିଁକି ନିର୍ବାଚନୀ ଇସ୍ତାହାର ପତ୍ରରେ କୌଣସି ଯୋଜନା, ଋଣ ଛାଡ କି ପ୍ରୋତ୍ସାହନ ନେଇ ଉଲ୍ଲେଖ କଲେ ନାହିଁ ବୋଲି ପଚାରିଛି ବିଜେଡି । ଯଦି କିଏ ଚାଷୀମାନଙ୍କ ସୁଖଦୁଃଖ ବିଷୟରେ ଭାବୁଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଅଧ୍ୟୟନ ପାଇଁ ବ୍ୟବସ୍ଥା କରିଛନ୍ତି । ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ହେଉଛି ଫମ୍ପା ଆବାଜ । ଚାଷ ଓ ଚାଷୀଙ୍କ ବିଷୟରେ କିଛି ବି କଥା ଉଲ୍ଲେଖ କରି ନାହାନ୍ତି । କେବଳ ମିଛ କଥା କହି ନିର୍ବାଚନୀ ଜୁମଲା କରୁଛି ବିଜେପି ।

କିଛିବର୍ଷ ହେଲା ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ଵତନ୍ତ୍ର ବଜେଟ କରିଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇସାରିଛି । କାଳିଆ ଯୋଜନାରେ ୬୪ ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି । ସାରା ଦେଶକୁ ପିଡିଏସ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହୋଇଛି । ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି । ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବା ନେଇ ଲକ୍ଷ୍ଯ ରହିଛି । କୃଷକଙ୍କ ଆୟ ଡବଲ କରାଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବଢୁଛି ଚାଷୀଙ୍କ ଆୟ। ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ ପାଇଁ ପ୍ରତିବର୍ଷ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସେପଟେ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ବାର ବାର ଅବହେଳା କରୁଥିବା ବେଳେ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ । ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ହେଲେ MSP ୨୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ । ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ । ହେଲେ କେନ୍ଦ୍ର ସରକାର ଶୁଣିଲେନି । ବିଜେପି ତା’ର ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହି ନାହିଁ । ହେଲେ ଓଡ଼ିଶା ଲୋକଙ୍କୁ ଠକିବା ପାଇଁ ବିଜେପି ନେତା ମିଛ ଡାଏଲଗ ମାରୁଛନ୍ତି ।