ଦିଲ୍ଳୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ସନ୍ଦେହ ଘଟଣାକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଏତେ ବଡ଼ ଘଟଣା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇ ଦଶହରା ଛୁଟିରେ ମାତିବା ପରି ଲାଗୁଛି । ମୁଖ୍ୟମନ୍ତ୍ରୀ ପୂଜା ଦେଖିବାକୁ ମଣ୍ଡପ ବୁଲୁଛନ୍ତି । କିନ୍ତୁ ଏହି ଘଟଣା ନେଇ କିଛି ବିବୃତି ରଖି ନାହାନ୍ତି । ଦିଲ୍ଲୀରେ ଥିବା ରେସିଡେଣ୍ଟ କମିଶନରଙ୍କ ପ୍ରତିକ୍ରିୟା ବି ନ ଆସିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ସରକାରଙ୍କ ସଦବୁଦ୍ଧି ଆସୁ ଓ ମହିଳାଙ୍କ ଯତ୍ନ ନିଆଯାଉ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ମାନସ ମଙ୍ଗରାଜ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । କିଛି ସମୟ ପାଇଁ ଚେତା ଆସୁଛି ଓ ଯାଉଛି । ଏମ୍ସରେ ତାଙ୍କର ଚିକିତ୍ସା କରାଯାଉଛି । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ ପୋଲିସ । ୬ରୁ ୭ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଦିଲ୍ଲୀରେ ଦୁଷ୍କର୍ମ ଶିକାର ମହିଳା ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଏପଟେ ଦୁର୍ଗାପୂଜାରେ ମାତିଥିବା ରାଜ୍ୟ ସରକାର । ଏମିତି ଲାଗୁଛି, ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କର କୌଣସି ଚିନ୍ତା ନାହିଁ । ଇଏ କ’ଣ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ । ରାସ୍ତା କଡ଼ରୁ ପୋଲିସ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏମସ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଛି । ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର କରିଥିଲେ । ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ ନେଇଥିଲା । ମହିଳା ଜଣକ ବର୍ଷେ ହେବ ଦିଲ୍ଲୀରେ କଟୱାରିଆ ସରାଇରେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ । ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା । ଏଥିଯୋଗୁ ସେ ଅନେକ ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ କାଟିଛନ୍ତି । ତେଣୁ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ।