HMPV ପ୍ରତିଷେଧକ ବ୍ୟବସ୍ଥା କ’ଣ କରିଛ: ବିଜେଡି

1 min read

ଭୁବନେଶ୍ବର: ଦେଶରେ ଗୋଟିଏ ପରେ ଗୋଟିଏ HMPV ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଭଲ ଖବର ହେଲା ଓଡ଼ିଶାରେ ଏହି ଭୂତାଣୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ତଥାପି ସତର୍କ ରହିବା ସହ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ହେବା ଜରୁରୀ । ତେଣୁ HMPVକୁ ନେଇ ଓଡ଼ିଶାରେ ପ୍ରତିଷେଧକ ବ୍ୟବସ୍ଥା କ’ଣ କରିଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛି ବିଜେଡି । ଯେମିତି ଓଡ଼ିଶାବାସୀଙ୍କର କୌଣସି କ୍ଷତି ହେବ ନାହିଁ ସେଥିପାଇଁ ଚିନ୍ତା ପ୍ରକଟ କରିଛି ଦଳ ।

ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଦେଶର ୪ଟି ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାରେ ସେପରି କିଛି ପରିସ୍ଥିତି ନାହିଁ । ଚୀନରେ ଏହି ରୋଗରେ ହଜାରେ ଆକ୍ରାନ୍ତରୁ  ଅଢ଼େଇ ଶହରୁ ତିନି ଶହ ଲୋକ ମୃତ୍ୟୁ ମୁଖରେ ପଡୁଥିଲେ । ଦେଶ ବାହାରୁ ଲୋକେ ଆସୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଯେପରି ସେମିତି କୌଣସି ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ । କୋଭିଡ ସମୟରେ କେନ୍ଦ୍ର ଜାରି କରିଥିବା ଗାଇଡଲାଇନଠାରୁ ଦୁଇପାଦ ଆଗକୁ ଯାଇ ତତକାଳୀନ ବିଜେଡି ସରକାର ପ୍ରତିଷେଧକ ବ୍ୟବସ୍ଥା କରିଥିଲେ । ସେଥିପାଇଁ କୋଭିଡ ପରିଚାଳନାରେ ସାରା ଦେଶରେ ଓଡ଼ିଶା ସମସ୍ତଙ୍କଠାରୁ ଆଗରେ ରହିବା ସହ ଶ୍ରେଷ୍ଠ ରାଜ୍ୟ ପାଲଟି ଥିଲା । ଆମେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ, ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ, ଯାହାଦ୍ବାରା ଓଡ଼ିଶାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ।