ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଅଧିକାର ଲାଗି ରାଜରାସ୍ତାରେ ବିଜେଡି, ନିଯୁକ୍ତିଭିତ୍ତିକ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି
ନନ୍ଦିଘୋଷ ବ୍ୟୁରୋ: ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ରାଜଭବନ ଆଗରେ ବିଜେଡି ରଣହୁଙ୍କାର । ନିଯୁକ୍ତିଭିତ୍ତିକ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ । ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇ ପଛୁଆ ବର୍ଗଙ୍କ ଅଧିକାରକୁ ଦଳି ଦିଆଯାଇଥିବା ଅଭିଯୋଗ । ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ତୀବ୍ର କରିବାକୁ ବିଜେଡିର ଚେତାବନୀ ।
ବିଧାନସଭା ଓ ସଂସଦରେ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ସ୍ବର ଶାଣିତ କରିଥିବା ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ରାଜଭବନ ଆଗରେ ଦେଇଛି ରଣହୁଙ୍କାର । ସଂଖ୍ୟା ଯାହାର ଯେତେ, ତା’ ଭାଗିଦାରୀ ସେତେ ହେବା ନ୍ୟାୟକୁ ବିଜେଡି ଦୋହରାଇଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲା । ଗତବର୍ଷ ଜୁନ ଜୁଲାଇରେ ନାମଲେଖା ସରିଗଲା । ହେଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲାନି । ତଫସିଲଭୁକ୍ତ ଜାତି, ତାଫସିଲଭୁକ୍ତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୯୪ ପ୍ରତିଶତ । ବର୍ତ୍ତମାନ ଏସସି ଓ ଏସଟିଙ୍କ ସଂଖ୍ୟା ୩୮.୭୫ ପ୍ରତିଶତ । ହେଲେ ନିଯୁକ୍ତିଭତ୍ତିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ୧୨ ପ୍ରତିଶତ ଏସଟି ଓ ୮ ପ୍ରତିଶତ ଏସସିଙ୍କ ପାଇଁ ସଂରକ୍ଷଣ ରହୁଛି । ହିସାବ ଅନୁସାରେ ୫୪ ପ୍ରତିଶତ ଓବିସି ଅଛନ୍ତି । ହେଲେ ଉଚ୍ଚଶିକ୍ଷାରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ମେଡିକାଲ ଓ ଇଞ୍ଜିନିୟରିଂ ସଂଖ୍ୟାନୁପାତ ସଂରକ୍ଷଣ ଲାଗୁ ନ ହେବାରୁ ୫୧୦୦ ଏସଟି ଓ ଏସସି ଛାତ୍ରଛାତ୍ରୀ ଡାକ୍ତର ଓ ଇଞ୍ଜିନିୟର ହେବା ସ୍ବପ୍ନ ପୂରଣ ହୋଇ ପାରୁନି ।
ସେହିପରି ଓବିସି ଓ ଏସଇବିସି ବର୍ଗର ୭୦୦୦ ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେଉଛନ୍ତି । ବିଜେପି କ୍ଷମତାକୁ ଆସିଲା । କେନ୍ଦ୍ରରେ ଏନଡିଏ ଶାସନ । ହେଲେ ସବକା ସାଥ ସବକା ବିକାଶ କହୁଥିବା ଡବଲ ଇଂଜିନ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଉଛି । ୧୧.୨୫ ପ୍ରତିଶତ ସଂରକ୍ଷଣର ଲଲିପପ୍ ଧରାଇ ବିଜେପି ଭୋଟ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି । ଏସସି ଓ ଏସଟିଙ୍କ ପାଇଁ ୩୮.୭୫ ପ୍ରତିଶତ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ବିରାଟ ପଟୁଆରରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ବିଜେଡି ।
ଓବିସିଙ୍କ ଅଧିକାର ପାଇଁ ଆନ୍ଦୋଳନରେ ବିଜେପି ସରକାରର ମୁଖା ଖୋଲି ଦେଇଛି ବିଜେଡି । ୧୯୯୦ ମସିହାରେ ଭି.ପି. ସିଂହଙ୍କ ନେତୃତ୍ବରେ ଗଠିତ ସରକାରରେ ବିଜେପି ମଧ୍ୟ ଅଂଶୀଦାର ଥିଲା । ଭି.ପି.ସିଂହ ସରକାର ୨୭ ପ୍ରତିଶତ ସଂରକ୍ଷଣ ପ୍ରଥମ ଥର ପାଇଁ ଦେଶ ପଛୁଆ ବର୍ଗମାନଙ୍କ ପାଇଁ ଘୋଷଣା କରିବା ପରେ ଏହାକୁ ଭଣ୍ଡୁର କରିବା ପାଇଁ ରଥଯାତ୍ରା କରି, ଦେଶରେ ସାଂପ୍ରଦାୟିକ ବିଷ ବୁଣି ସରକାରଙ୍କୁ ପତନ କରିଇବାରେ ବିଜେପିର ଭୂମିକା କ’ଣ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେଡି ପ୍ରଶ୍ନ କରିଛି । ପଛୁଆବର୍ଗ ଆୟୋଗ ଗଠନ ଓ ପଛୁଆବର୍ଗ ଚିହ୍ନଟ ପ୍ରକ୍ରିୟାକୁ ସମ୍ବିଧାନ ସଂଶୋଧନ କରି ବିଜେପି ସରକାର ସାମାଜିକ ନ୍ୟାୟର ପରିପନ୍ଥୀ ବ୍ୟବହାର କରିଥିବାରୁ ବିଜେଡି ଆପତ୍ତି ଉଠାଇଛି ।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓବିସି କମିଶନ ଗଠନ କରିଥିଲେ । ଜାତିଭିତ୍ତିକ ଜନଗଣନା ପାଇଁ ବିଧାନସଭାରୁ ସଂସଦ ଯାଏଁ ସ୍ବର ଉଠାଇଥିଲେ । ବର୍ତ୍ତମାନ ଯେଉଁ ଜାତିଭିତ୍ତିକ ଜନଗଣନା କଥା ଉଠାଇଛନ୍ତି କେନ୍ଦ୍ର ସରକାର, ତାହା ବିହାର ନିର୍ବାଚନକୁ ଆଖି ଆଗରେ ରଖି କରିଥିବା ନେଇ କଟାକ୍ଷ ହୋଇଛି ।
ସେପଟେ ବିଜେଡି ରାସ୍ତାରେ କଂଗ୍ରେସ । କାଲିଠୁ ଆନ୍ଦୋଳନ କରିବ ଦଳ । ୧୧.୨୫ ପ୍ରତିଶତ ନୁହେଁ ଉଚ୍ଚଶିକ୍ଷା ସହ ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଦାବି କରିଛି । ଚାପରେ ପଡି ବିଜେପି ସରକାର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ଯେପର୍ଯ୍ୟନ୍ତ ଓବସସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିନି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ପିସିସି ସଭାପତି । ଆସନ୍ତାକାଲିଠୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେବେ କଂଗ୍ରେସ ନେତା ।
