ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡିର ରଣହୁଙ୍କାର
ଭୁବନେଶ୍ବର: ଡବଲ ଇଞ୍ଜିନ ସରକାର ବିରୋଧରେ ଆଜି ବିଜେଡିର ରଣହୁଙ୍କାର । ରାଜଧାନୀରେ ଗର୍ଜନ କରିବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି । ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ହେବ ଗଣ ବିକ୍ଷୋଭ। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ଲୋୟର ପିଏମଜିଠାରେ ବିଶାଳ ଗଣବିକ୍ଷୋଭ କରିବ ବିଜୁ ଜନତା ଦଳ। ସାମିଲ ହେବେ ରାଜ୍ୟର ହଜାର ହଜାର ଜନତା ।
ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼। ନିର୍ବାଚନ ସମୟରେ ବିଜେପି ଯେଉଁ ଉଜ୍ଜ୍ବଳା ଯୋଜନା କଲେ, ସେଥିରେ ସିଲିଣ୍ଡର ରିଫିଲିଂ ଖର୍ଚ୍ଚ ଅଧିକ ଥିବାରୁ, ମହିଳା ପୁଣି ଥରେ ଚୁଲି ମୁଣ୍ଡକୁ ଠେଲି ହୋଇଗଲେ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର କମିଲେ ବି ତେଲ ଦର କମୁନାହିଁ । ୨୦୧୪ରୁ କ୍ରମାଗତ ଭାବେ ଦର ଏପରି ବଢି ଚାଲିଛି ଯେ ଲୋକେ ଗାଡ଼ି ଚଲାଇବାକୁ ଭୟ କଲେଣି ।
ସୁଭଦ୍ରା ଯୋଜନା ଭେଳିକି କରି ଟଙ୍କା ଦିଆଗଲା। ମହଙ୍ଗା ମାଡ଼ ବିରୋଧୀ ନାରା ଦେଇ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ବିଜେପି। ହେଲେ ୧୦ ବର୍ଷରୁ ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରିଛି ବିଜେଡି । ଗତ ୬ ମାସରେ ଦେଶର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶାରେ ଏହା ୭ ପ୍ରତିଶତ ରହିଛି। ଗାଁରେ ୮ ପ୍ରତିଶତରେ ପହଞ୍ଚିଛି ।