spot_img

Latest Posts

ସାର ପାଇଁ ଡହଳବିକଳ ଚାଷୀ: ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ସାର ପାଇଁ ଡହଳବିକଳ ଚାଷୀ । ଆଧାରକାର୍ଡ଼ ଲମ୍ବା ଲାଇନରେ ରଖି ରାତି ରାତି ରହୁଛନ୍ତି ଉଜାଗର । ହେଲେ ମିଳୁନି ସାର । ରାଜ୍ୟ ସରକାରଙ୍କ ସାର ମହଜୁଦ ଦାବି ଧୂଆଁବାଣ । ସାର ସଂକଟ ନେଇ ଆଜି ରାଜଭବନ ଆଗରେ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେଡି । ରାଜ୍ୟପାଳଙ୍କୁ ଦେଇଛି ସ୍ମାରକ ପତ୍ର । ସେଥିରେ ପୁଣି ପୋଲିସ ସହ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ଜିଲ୍ଲା ନୁହଁ ସାରା ରାଜ୍ୟରେ ଚାଷୀଙ୍କୁ ମିଳୁନି ସାର । ଫି ଦିନ ରାସ୍ତାରୋକ କରି ଚାଷୀ କରୁଛନ୍ତି ରାସ୍ତାରୋକ । ଅଥଚ ରାଜ୍ୟ ସରକାର ବେଫିକର । ଚାଷୀମାନେ ଘଣ୍ଟାଘଣ୍ଟା ପ୍ୟାକସ୍‌ ଓ ଲ୍ୟାମ୍ପସ ଆଗରେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି । ରାଜଭବନ ନିକଟରେ ଧାରଣା ଦେବା ପରେ ବିଜେଡି ନେତାମାନେ ରାଜଭବନ ଅଭିମୁଖେ ବାହାରିଥିଲେ । ହେଲେ ଅଧାବାଟରେ ପୋଲିସ ବ୍ୟାରିକେଡିଂ କରି ବିଜେଡି ନେତା ଓ କର୍ମୀଙ୍କୁ ଅଟକାଇଥିଲା । ବେଶ୍ କିଛ ସମୟ ଧରି ପୋଲିସ ଓ ବିଜେଡି କର୍ମୀଙ୍କ ଭିତରେ ଠେଲାପେଲା ଓ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଶେଷରେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ବାଧ୍ୟ ହୋଇଥିଲା ବିଜେଡି କର୍ମୀ । କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର । ଯାହା ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ ଜୀବିକା ପ୍ରଦାନ କରେ । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟର ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ପୂର୍ବତନ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଓଡ଼ିଶା ଏକ ବଳକା ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି। ହେଲେ ରାଜ୍ୟର କୃଷକଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାରଙ୍କ ସ୍ଥାଣୁତା ଯୋଗୁ କୃଷି କାର୍ଯ୍ୟ ପାଇଁ ରାଜ୍ୟରେ ଏବେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି ବୋଲି ଅଭିଯୋଗ କରିଛି ଦଳ । ଏହାସହ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି ।…

ସାର ସଂକଟ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ହେଲେ ଏଯାଏ ସରକାର ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାଁନ୍ତି । ରାଜ୍ୟରେ ଆବଶ୍ୟକ ସାର ମହଜୁଦ ନଥିବା ଖୋଦ ସମବାୟ ବିଭାଗ କହିଛି । ଗଞ୍ଜାମ ଜିଲାରେ ୧୯ ହଜାର ୫୬୧ ମେଟ୍ରିକ ଟନ ସାର ପାଇଁ ଇଣ୍ଡେଣ୍ଟ ଦିଆଯାଇଥିଲା । କିନ୍ତୁ ମିଳିଛି ମାତ୍ର ୧୦ ହଜାର ୬୪୦ ମେଟ୍ରିକ ଟନ । ଭଦ୍ରକ ଜିଲ୍ଲା ୬ ହଜାର୧୮୮ ମେଟ୍ରିକ ଟନ ସାର ମାଗିଥିବା ବେଳେ ମିଳିଛି ୮୬୩ ମେଟ୍ରିକ ଟନ । ସେହିପରି ବାଲେଶ୍ବର ଜିଲ୍ଲାରୁ ଇଣ୍ଟେଣ୍ଟ ଆସିଥିଲା ୨୬୦୦ ମେଟ୍ରିକ ଟନ । ଏ ପର୍ଯ୍ୟନ୍ତ ବାଲେଶ୍ବରକୁ ମିଳିଛି ମାତ୍ର ୯୦୦ ମେଟ୍ରିକ ଟନ୍‌ । ଅନୁଗୁଳ ଜିଲ୍ଲାରେ ୮ ହଜାର ୧୦୦ ମେଟ୍ରିକ ଟନ ସାର ଆବଶ୍ୟକତା ଥିଲାବେଳେ ମିଳିଛି ୪ ହଜାର ୯୫୪ ମେଟ୍ରିକ ଟନ ସାର । ବିଜେଡିର ଆନ୍ଦୋଳନରେ ସାମିଲ ହୋଇଥିଲେ ଚାଷୀ । ପ୍ରଶ୍ନ କରିଛନ୍ତି, ଯଦି ସରକାର ପର୍ଯ୍ୟାପ୍ତ ସାର ମହଜୁଦ ଥିବା ନେଇ ଦାବି କରୁଛନ୍ତି, ତେବେ ସାର କୁଆଡ଼େ ଗଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । କାହିଁକି ସାର କଳାବଜାରୀ ହେଉଛି, ତାକୁ ନେଇ ସରକାରଙ୍କୁ ଚାଷୀକୂଳ ଘେରିଛନ୍ତି ।

Latest Posts

Don't Miss