ଦୁଇ ଦିନ ହେଲା ଦିଲ୍ଲୀରେ ଲଢୁଛି ବିଜେଡି, ପୋଲାଭରମ ପ୍ରକଳ୍ପକୁ ନେଇ ଜୋରଦାର କରିଛି ପ୍ରତିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରରେ ଦୃଢ ପ୍ରତିବାଦ ଆରମ୍ଭ କରିଛି ବିଜେଡି । ଗତକାଲି ବିଜେଡିର ଏକ ପ୍ରତିନିଧି ଦଳ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ କରିବାକୁ ଦାବି କରିଥିଲେ । ଆଜି ବିଜେଡି ଟିମ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆୟାର ଓ କେନ୍ଦ୍ର ଜଙ୍ଗଲ ପରିବେଶ ସଚିବ ଲୀନା ନନ୍ଦନଙ୍କୁ ଭେଟି ଓଡିଶାର ସ୍ବାର୍ଥ ରକ୍ଷାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏହି ପ୍ରକଳ୍ପକୁ ନେଇ ଦୀର୍ଘଦିନରୁ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ନିକଟରେ କେନ୍ଦ୍ର ସରକାର ୧୫ହଜାର କୋଟି ଟଙ୍କା ମଂଜୁର କରିବା ପରେ ଏହି ପ୍ରକଳ୍ପ ପାଇଁ ଓଡିଶା ପ୍ରତି ସୃଷ୍ଟି ହେଉଥିବା ବିବାଦ ଘନେଇଛି । ଗୋଦାବରୀ ଜଳ ବିବାଦ ଟ୍ରିବ୍ଯୁନାଲର ରାୟ ଆଧାରରେ ଓଡିଶା-ଆନ୍ଧ୍ର-ମଧ୍ୟପ୍ରଦେଶ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ଆଧାରରେ ପୋଲାଭରମ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାର ମୂଳ ଡିଜାଇନକୁ ବଦଳାଇ ବନ୍ୟା ଜଳ ନିଷ୍କାସନ କ୍ଷମତା ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରିଛନ୍ତି । ଜଳ ନିଷ୍କାସନ କ୍ଷମତା ବୃଦ୍ଧି କରିବା ସହ ଏହାର ବ୍ୟାକ ୱାଟର ପ୍ରଭାବକୁ ନେଇ ଓଡିଶା କିମ୍ବା ଛତିଶଗଡ ସହ କୌଣସି ଆଲୋଚନା ହୋଇନାହିଁ । ମାଲକାନଗିରି ଜିଲ୍ଲାର ଶହ ଶହ ଏକର ଜମି ଜଳମଗ୍ନ ହେବା ସହ ବ୍ୟାପକ ଜଙ୍ଗଲ ଧ୍ବଂସ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ୨୦୧୪ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ୭୦୦ କୋଟି ଖର୍ଚ୍ଚରେ ସେଠାରେ ଆଡ଼ିବନ୍ଧ ନିର୍ମାଣ ସହ ଆଦିବାସୀଙ୍କୁ କ୍ଷତିପୂରଣ ଦିଆଯାଉ। କିନ୍ତୁ ଏନେଇ କେନ୍ଦ୍ର ବା ଆନ୍ଧ୍ରପ୍ରଦେଶ ସରକାର କୌଣସି କାମ ଆରମ୍ଭ ନକରି ପ୍ରକଳ୍ପ କାମକୁ ତ୍ବରାନ୍ବିତ କରି ଚାଲିଛନ୍ତି । ତେଣୁ ରାଜ୍ୟର ସ୍ବାର୍ଥ ପାଇଁ ଉଭୟ ଏସଟି କମିଶନ ଓ ବିଭାଗୀୟ ସଚିବ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।