ଯାଜପୁର ପାଣିକୋଇଲିକୁ ଏନଏସି ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି। ପାଣିକୋଇଲିକୁ ରାଜ୍ୟ ସରକାର ଏନ.ଏ.ସି ମାନ୍ୟତା ଘୋଷଣା ନକରିବା ପ୍ରତିବାଦରେ ଆଜି କୋରେଇ ବିଜେଡ଼ି ପକ୍ଷରୁ ପାଣିକୋଇଲି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ବିଜେଡ଼ି ନେତା ଭବ ପ୍ରସାଦ ଦାସଙ୍କ ସମେତ ବିଜେଡ଼ିର ବହୁ ନେତା କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ପାଣିକୋଇଲି ପ୍ରତି ଟାଳଟୁଳ ନୀତି ଓ ପ୍ରତାରଣାକୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ। ପୂର୍ବ ବିଜେଡ଼ି ସରକାର ପାଣିକୋଇଲି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଏନ.ଏ.ସି କରିବାକୁ ଘୋଷଣା କରିଥିବାବେଳେ ଏବେକାର ବିଜେପି ସରକାର ଏହାକୁ ବାଦ୍ ଦେଇଛନ୍ତି। ତେଣୁ ପାଣିକୋଇଲିବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ସରକାର ଏହା ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି।

