ଚାଷୀଙ୍କ ହକ୍ ପାଇଁ ରାସ୍ତାରେ ବିଜେଡି, ଆଜି ସବୁ ପଞ୍ଚାୟତରେ ଆନ୍ଦୋଳନ

ଭୁବନେଶ୍ୱର: ଚାଷୀଙ୍କ ବିରୋଧରେ କେନ୍ଦ୍ର କରିଛି ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆରପାର ଲଢେଇ କରୁଛି ବିଜେଡି । ଆଜି ରାଜ୍ୟର ସମସ୍ତ ପଞ୍ଚାୟତରେ ବିଜେଡି ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବ । ଗାଁ ଗାଁରେ କେନ୍ଦ୍ରକୁ ହକ୍ ମାଗିବେ ଚାଷୀ । କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା କାଟି ଦେଇଛି। ଏପରିକି କୃଷି କ୍ଷେତ୍ରରେ କଷ୍ଟମ କି ଜିଏସଟି ହ୍ରାସ କରାଯାଇନି।

ସେପଟେ ୧୮ ଲକ୍ଷ ମେଟ୍ରିକ ଟନ୍ ବଦଳରେ ମାତ୍ର ୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଉଛି ଏଫସିଆଇ। ଫଳରେ ଚାଷୀଙ୍କର ଚାଉଳ ନଷ୍ଟ ହେବ। ସେପଟେ ଚାଉଳ ବାବଦ ୧୪ ହଜାର କୋଟି ସବସିଡି ବି ଦେଉନି କେନ୍ଦ୍ର। ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ସଂସଦରେ ବାରମ୍ବାର ବିଜେଡି ସାଂସଦ ଚାଷୀଙ୍କ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଉଛନ୍ତି । ହେଲେ କେନ୍ଦ୍ର ଏଥିରେ କର୍ଣ୍ଣପାତ କରୁନି । ଗତକାଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିବାବେଳେ ଆସନ୍ତାକାଲି ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ଆନ୍ଦୋଳନ କରାଯିବ ।