କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ରଣହୁଙ୍କାର

ଭୁବନେଶ୍ବର : ଚାଉଳ ଓ ଧାନ ସଂଗ୍ରହ ପ୍ରସଙ୍ଗରେ କେନ୍ଦ୍ରର ଚରମ ଅବହେଳା ବିରୋଧରେ ଆଜିଠୁ ତିନିଦିନ ପାଇଁ ଆନ୍ଦୋଳକୁ ଓହ୍ଲାଇବ ବିଜେଡି । ଆଜି ପୂର୍ବାହ୍ନରେ ରାଜଭବନ ଆଗରେ ବିଜେଡି ତରଫରୁ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ବିଶାଳ ସମାବେଶ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ କରିବ ବିଜେଡି । ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଚଳିତବର୍ଷ କେନ୍ଦ୍ର ସରକାର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଏହା ସହିତ ଉଷୁନା ଚାଉଳ ଉଠାଣ ପରିମାଣ କମାଇଛନ୍ତି । ପୂର୍ବରୁ ଓଡ଼ିଶାରୁ ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିଲା ବେଳେ ଏବେ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ଧାର୍ଯ୍ୟ କରିଛି । କେବଳ ବରଗଡ଼ ଜିଲ୍ଲାରୁ ୪ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥାଏ ।

ଯଦି କେନ୍ଦ୍ର ସରକାର ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବେ, ତେବେ ବାକି ୨୯ଜିଲ୍ଲାର ଭାଗ୍ୟ କ’ଣ ହେବ ବୋଲି ବେଜେଡି ପ୍ରଶ୍ନ କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର । କରୋନା କୁପ୍ରଭାବରୁ ଏପର୍ଯ୍ୟନ୍ତ ଗରିବ, ଖଟିଖିଆ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଆର୍ଥିକ ଅବସ୍ଥା ସୁଧୁରି ନାହିଁ । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବାଭାବିକ ହେବାକୁ ଆହୁରି କିଛି ବର୍ଷ ଲାଗିବ । ଚାଉଳ କାଟିଦେଲେ ସେମାନେ ଚଳିବେ କେମିତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛି ବିଜେଡି ।

ସେହିପରି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କଟିବାରୁ ଧାନ ସଂଗ୍ରହ ମଧ୍ୟ କ୍ଷତିଗ୍ରସ୍ତ ହେବ । କୃଷକମାନେ ଏମଏସପି ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ରର ଏହି ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଚାଷୀ ଓ ଗରିବଙ୍କ ସହିତ ସବୁବେଳେ ବିଜେଡି ଅଛି ଓ ରହିବ । ଓଡ଼ିଶାର କୃଷକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ବିଜେଡି କହିଛି ।