ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣା, ଆଜି ନିମାପଡ଼ା ବଳଙ୍ଗା ଥାନା ଘେରାଉ କରିବ ବିଜେଡି

ଭୁବନେଶ୍ବର : ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣାକୁ ନେଇ ତେଜୁଲା ଅସନ୍ତୋଷ। ଆଜି ନିମାପଡ଼ା ବଳଙ୍ଗା ଥାନା ଘେରାଉ କରିବ ବିଜେଡି। ଗତକାଲି ଏହି ଘଟଣାକୁ ନେଇ ଏମସରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ, ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ବଳଙ୍ଗା ଥାନା ଘେରାଉ କରିବ ବିଜୁ ଜନତା ଦଳ। ବଳଙ୍ଗା ଛାତ୍ରୀଙ୍କୁ ପୋଡି ହତ୍ୟା କରିବା ଲାଗି ଉଦ୍ୟମ ଘଟଣା। ରାତିରେ ଭୁବନେଶ୍ବର ଏମସରେ ଜୋରଦାର ହଙ୍ଗାମା। ବର୍ଷା ରାତିରେ ପିଶାଚ ପାଲଟିଗଲା ପୋଲିସ। ପୀଡ଼ିତାଙ୍କୁ ତୁରନ୍ତ ଏୟାର ଲିଫ୍ଟ କରିବା ସହ ଅନ୍ୟାନ୍ୟ ଦାବି ନେଇ ଏମସ ପରିସରରେ ନାରାବାଜି କରିଛନ୍ତି ବିଜେଡି, କଂଗ୍ରେସ, ଡିଏସଓ, ନବ ନିର୍ମାଣ ଛାତ୍ର ସଂଗଠନର ନେତା ଓ କର୍ମୀ। ରାତିରେ ମହିଳା ନେତ୍ରୀଙ୍କ ଉପରେ ପୁଣି ବଳ ପ୍ରୟୋଗ କରିଛି ପୋଲିସ। କିଛି କର୍ମୀଙ୍କୁ ବି ପୋଲିସ ଉଠାଇ ନେଇଛି। ପୋଲିସର ବଳ ପ୍ରୟୋଗ ବିରୋଧରେ ଆନ୍ଦୋଳନକାରୀ ଦେଇଥିଲେ ଧାରଣା।  ଏମ୍ସ ପରିସରରେ ୧୬୩ ଧାରା ଜାରି କରାଯିବା ସହ  ପୁରା ଅଞ୍ଚଳକୁ ଖାଲି କରାଯାଇଛି। ସେଠାରେ  କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।  ପୋଲିସ ସରକାରଙ୍କ ଗୁଣ୍ଡା ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ିଯିବା, ନାରୀ ନିର୍ଯାତନା ବୃଦ୍ଧି ପାଇବା, ଛାତ୍ରୀ ଅସୁରକ୍ଷିତ ହେବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ପରେ ପରେ ବଳଙ୍ଗା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।