ପ୍ରଥମ ପର୍ଯ୍ୟାୟ ଭୋଟର ୨୮ ଆସନରୁ ୨୪ରେ ଜିତିବ ବିଜେଡି଼,କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢୋକ୍ତି

ନନ୍ଦିଘୋଷ ବ୍ୟୁରୋ : ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ୭୪ ପ୍ରତିଶତ ଭୋଟ୍ ହୋଇଥିବା ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ସହିତ ଆସିଛି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ସବୁ ପର୍ଯ୍ୟୟରେ ବିଜେଡି ଆଗରେ ରହିବ । ବିଶେଷକରି ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେଡି କ୍ଲିନ୍ ସ୍ୱିପ୍ କରିଛି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ୱିପ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି,ସେଥିରୁ ବିଜେଡି ୨୪ ଆସନ ଜିତିବ ବୋଲି ଦମ୍ଭୋକ୍ତି ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ,ସବୁ ପର୍ଯ୍ୟାୟ ଭୋଟରେ ବିଜେଡି ଆଗୁଆ ରହିବ । ତେଣିକି ତାହା ପ୍ରଥମ, ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ହେଉ । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ହୋଇଛି ସେଥିରୁ ୨୪ ଆସନ ବିଜେଡି ଜିତିବ ବୋଲି ସେ କହିଛନ୍ତି । । ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ । ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ।
ଲୋକଙ୍କ ଭଲପାଇବା ହିଁ ଆମକୁ ଦୃଢ ବିଶ୍ୱାସ ଦେଉଛି । ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ଆପେକ୍ଷା କରିଥାନ୍ତି , ଯାହା ଆମକୁ ଓଡ଼ିଶାବାସୀଙ୍କ ପାଇଁ ଲଢିବାକୁ ଶକ୍ତି ଦେଇଥାଏ ଏବଂ ଓଡ଼ିଶାର ବିକାଶ ଆଗକୁ ନେବାକୁ ପାଇଁ ସାହାସ ଦେଇଥାଏ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।