ଓବିସି ସଂରକ୍ଷଣ ଏକ ଧୋକା ଓ ପ୍ରବଞ୍ଚନା, ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ସରକାରଙ୍କ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ସାମ୍ଵାଦିକ ସମ୍ମିଳନୀରେ କଟୁ ସମାଲୋଚନା କଲା ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ । ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି । ‘ଓବିସି ସଂରକ୍ଷଣ ଏକ ଧୋକ୍କା ଓ ପ୍ରବଞ୍ଛନା’ । ଗତ ବିଧାନସଭାରେ ବିଜେଡି ଏନେଇ ସରକାରଙ୍କୁ ଘେରିଥିଲା । ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଚାପରେ ସରକାର ନଇଁଛନ୍ତି ।

ଆଗାମୀ ୨୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଅନୁଷ୍ଠିତ ହେବ । ମେଡିକାଲ, ଇଞ୍ଜିନିୟରିଂରେ ସଂରକ୍ଷଣ ନଦେବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ଜୁନ୍ ୧୨ ତାରିଖକୁ ବିଜେପି ସରକାରକୁ ବର୍ଷେ ପୁରୁଛି । ସଂରକ୍ଷିତ ବର୍ଗଙ୍କ ପାଇଁ କିଛି କରିନାହାନ୍ତି ସରକାର । ଲୋକଙ୍କୁ ଦେଖାଇବା ପାଇଁ କ୍ୟାବିନେଟରେ ର, ବ, ଟ, କ, ଖ କରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ । ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳିବା ଆବଶ୍ୟକ । ସେ ଦିଗରେ ସରକାର ନିଷ୍ପତ୍ତି କାହିଁକି ନେଲେନି ? ବିଜେଡି ପଛୁଆବର୍ଗଙ୍କ ପାଇଁ ଉଚ୍ଚଶିକ୍ଷା ସମେତ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି । ଏହାର ଅର୍ଥ ସରକାର ଚାହୁଁନାହାନ୍ତି ପଛୁଆବର୍ଗ ଡାକ୍ତର ଓ ଇଞ୍ଜିନିୟର ହୁଅନ୍ତୁ । ଏହା ବିରୋଧରେ ବିଜୁ ଜନତା ଦଳ ଦୁର୍ବାର ଆନ୍ଦୋଳନ କରିବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ ।